ନୂଆଦିଲ୍ଲୀ, ୧୬।୧୨:
ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ (CSK) ସହ ନାଁ ଯୋଡ଼ି ହେବା ପରେ ଯୁବ ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମା ଭାବାବେଗରେ ଭାଙ୍ଗି ପଡ଼ିଥିଲେ। ନିଲାମିରେ CSK ୧୪.୨ କୋଟି ଟଙ୍କା ଖର୍ଚ୍ଚ କରି ଏହି ଅଣ-କ୍ୟାପଡ୍ ଖେଳାଳିଙ୍କୁ ଦଳରେ ସାମିଲ କରିଥିବା ବେଳେ, ସେ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଅଣ-କ୍ୟାପଡ୍ ଖେଳାଳିମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।
ନିଲାମି ସମୟରେ କାର୍ତ୍ତିକଙ୍କୁ ନେଇ ଜୋରଦାର ପ୍ରତିସ୍ପର୍ଧା ଦେଖିବାକୁ ମିଳିଥିଲା। ପ୍ରଥମେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ବିଡ୍ ଆରମ୍ଭ କରିଥିଲେ। ପରେ କୋଲକାତା ନାଇଟ୍ ରାଇଡର୍ସ ମୂଲ୍ୟକୁ ପ୍ରାୟ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ନେଇଯାଇଥିଲା। ଶେଷରେ CSK ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହୋଇଥିବା ଟକ୍କରରେ CSK ୧୪.୨ କୋଟି ଟଙ୍କାରେ ବାଜି ମାରିଥିଲା।
ନିଲାମି ପରେ କାର୍ତ୍ତିକ କହିଛନ୍ତି, “ନିଲାମି ଆରମ୍ଭ ହେବା ବେଳେ ମୁଁ ବହୁତ ଟେନ୍ସନ୍ରେ ଥିଲି। କିଣା ହେବି କି ନାହିଁ ଭାବି ଡର ଲାଗୁଥିଲା। କିନ୍ତୁ ଯେତେବେଳେ ବିଡ୍ ବଢ଼ିଲା ଏବଂ CSK ନାଁ ଆସିଲା, ମୋର ଲୁହ ଆପେଆପେ ବହିଗଲା।” ସେ ଧୋନୀଙ୍କ ସହ ଡ୍ରେସିଂ ରୁମ୍ ସେୟାର କରିବାକୁ ନେଇ ଅତ୍ୟଧିକ ଉତ୍ସାହିତ ଥିବା କଥା ମଧ୍ୟ କହିଛନ୍ତି।
୧୯ ବର୍ଷୀୟ କାର୍ତ୍ତିକ ଶର୍ମା ଘରୋଇ କ୍ରିକେଟରେ ରାଜସ୍ଥାନ ପାଇଁ ନିୟମିତ ଭାବେ ଦୃଢ଼ ପ୍ରଦର୍ଶନ କରି ଆସୁଛନ୍ତି। ବିଜୟ ହଜାରେ ଟ୍ରଫିରେ ସେ ୮ଟି ମ୍ୟାଚ୍ରୁ ୧୧୮ ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ୪୪୫ ରନ୍ ସଂଗ୍ରହ କରି ଦଳର ସର୍ବାଧିକ ରନ୍ ସ୍କୋରର ଥିଲେ। ସୟଦ ମୁସ୍ତାକ ଅଲି ଟ୍ରଫି ଓ ଶେର-ଏ-ପଞ୍ଜାବ ଟି-୨୦ ଟୁର୍ନାମେଣ୍ଟରେ ମଧ୍ୟ ତାଙ୍କର ଆକ୍ରମକ ବ୍ୟାଟିଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
CSKରେ ଯୋଗଦାନ ସହ କାର୍ତ୍ତିକ ଶର୍ମାଙ୍କ କ୍ୟାରିୟର ନୂଆ ଦିଗକୁ ମୁହଁ ନେଇଥିବା ବେଳେ, ଧୋନୀଙ୍କ ମାର୍ଗଦର୍ଶନ ତାଙ୍କ ପାଇଁ ଅମୂଲ୍ୟ ହେବ ବୋଲି କ୍ରିକେଟ୍ ମହଳରେ ଆଲୋଚନା ହେଉଛି।





