ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ଏକ ଦିନରେ ଦୁଇଟି ବଡ଼ ରେକର୍ଡ ଦର୍ଶକଙ୍କୁ ଚମକିଦେଇଛି। ପ୍ରଥମେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୩୬ ବଲ୍‌ରେ ଶତକ ହାସଲ କରି ସବୁଙ୍କ ଧ୍ୟାନ ଆକର୍ଷିଥିଲେ। କିନ୍ତୁ ଏହି ସଫଳତା ଅଧିକ ସମୟ ରହିପାରିଲା ନାହିଁ। କିଛି ଘଣ୍ଟା ମଧ୍ୟରେ ଝାଡ଼ଖଣ୍ଡ ଅଧିନାୟକ ଇଶାନ କିଶାନ ତାହାକୁ ଭାଙ୍ଗି ନୂଆ ଇତିହାସ ସୃଷ୍ଟି କରିଛନ୍ତି।

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କର୍ଣ୍ଣାଟକ ବିପକ୍ଷରେ ଖେଳି, ଇଶାନ କିଶାନ ମାତ୍ର ୩୩ ବଲ୍‌ରେ ଶତକ ପୂରଣ କରି ନିଜ ବିସ୍ଫୋରକ ଫର୍ମର ପ୍ରମାଣ ଦେଇଛନ୍ତି। ୨୭ ବର୍ଷୀୟ ଏହି ବ୍ୟାଟସ୍ମ୍ୟାନ ୩୯ ବଲ୍‌ରେ ୭ ଚୌକା ଓ ୧୪ ଛକା ସହ ୧୨୫ ରନ କରିଥିଲେ। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୩୦୦ରୁ ଅଧିକ ଥିଲା, ଯାହା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି।

ଏହି ଇନିଂସର ଭରସାରେ ଝାଡ଼ଖଣ୍ଡ ୫୦ ଓଭରରେ ୪୧୨ ରନର ବିଶାଳ ସ୍କୋର ତିଆରି କରିଥିଲା। ଷଷ୍ଠ ସ୍ଥାନରେ ବ୍ୟାଟିଂ କରି ଇଶାନ ମଧ୍ୟକ୍ରମରେ ଖେଳକୁ ପୂରାପୁରି ଘୁରାଇଦେଇଥିଲେ।

ଅନ୍ୟପଟେ ବିହାର ପାଇଁ ବୈଭବ ସୂର୍ଯ୍ୟବଂଶୀ ୮୪ ବଲ୍‌ରେ ୧୬ ଚୌକା ଓ ୧୫ ଛକା ସହ ୧୯୦ ରନ କରିଥିଲେ। ତାଙ୍କ ସହ ଅଧିନାୟକ ସାକିବୁଲ ଗନି ୪୦ ବଲ୍‌ରେ ୧୨୮ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ, ଆୟୁଷ ଲୋହାରୁକା ୫୬ ବଲ୍‌ରେ ୧୧୬ ରନ କରିଥିଲେ। ଏହି ତିନିଟି ଶତକର ଦମରେ ବିହାର ୫୦ ଓଭରରେ ୬ ୱିକେଟ୍ ହରାଇ ୫୭୪ ରନ ସଂଗ୍ରହ କରିଥିଲା।

ସମ୍ପ୍ରତି ସୟଦ ମୁସ୍ତାକ ଅଲି ଟ୍ରଫିରେ ଝାଡ଼ଖଣ୍ଡକୁ ଟାଇଟଲ ଜିତାଇଥିବା ଇଶାନ କିଶାନଙ୍କ ଏହି ପ୍ରଦର୍ଶନ ୨୦୨୬ ଟି–୨୦ ବିଶ୍ୱକପ୍ ପାଇଁ ତାଙ୍କ ଦାବିକୁ ଆଉ ଶକ୍ତିଶାଳୀ କରିଛି ବୋଲି କ୍ରିକେଟ୍ ପ୍ରେମୀମାନେ ମନେ କରୁଛନ୍ତି।