ଭୁବନେଶ୍ୱର: କିସ୍ର ଛାତ୍ରୀ ତଥା ଓଡ଼ିଆ କନ୍ୟା ଜ୍ୟୋତ୍ସ୍ନା ଶବ ଦେଶର ସର୍ବୋଚ୍ଚ ଶିଶୁ ସମ୍ମାନ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ଶକ୍ତି ପୁରସ୍କାର’ରେ ସମ୍ମାନିତ ହୋଇଛନ୍ତି। ଶୁକ୍ରବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।
କ୍ରୀଡ଼ା କ୍ଷେତ୍ରରେ ଅସାଧାରଣ ସଫଳତା ପାଇଁ ଜ୍ୟୋତ୍ସ୍ନାଙ୍କୁ ଏହି ପୁରସ୍କାର ମିଳିଛି। ଗଜପତି ଜିଲ୍ଲାର ଜ୍ୟୋତ୍ସ୍ନା ବର୍ତ୍ତମାନ କିସ୍ରେ +୨ କଳା ଶ୍ରେଣୀରେ ଅଧ୍ୟୟନରତ। ୨୦୨୪ ଦୋହା ଏସିଆନ୍ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ ୪୦ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ସହ ଯୁବ ଏସିଆ କୀର୍ତ୍ତିମାନ ସୃଷ୍ଟି କରି ସେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିଲେ।
ଏହା ସହିତ ପେରୁରେ ଆୟୋଜିତ ଆଇଡବ୍ଲୁଏଫ୍ ବିଶ୍ୱ ଯୁବ ପ୍ରତିଯୋଗିତାରେ ସ୍ୱର୍ଣ୍ଣ, ଏସୀୟ କନିଷ୍ଠ ଓ ଯୁବ ପ୍ରତିଯୋଗିତା ୨୦୨୩ରେ ଦୁଇଟି କାଂସ୍ୟ ଓ ୨୦୨୩ ଯୁବ ବିଶ୍ୱ ଭାରୋତ୍ତୋଳନରେ ରୌପ୍ୟ ପଦକ ହାସଲ କରିଥିଲେ। ୨୦୨୩ ଓ ୨୦୨୪ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ମଧ୍ୟ ୪୦ କେଜି ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭବିଷ୍ୟତରେ ଅଲିମ୍ପିକ୍ସରେ ପଦକ ଜିତିବା ତାଙ୍କ ସ୍ୱପ୍ନ ବୋଲି ଜ୍ୟୋତ୍ସ୍ନା କହିଛନ୍ତି।
ଅନ୍ୟପଟେ, ଭାରତର ଉଦୀୟମାନ ବ୍ୟାଟିଂ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଏହି ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ଶକ୍ତି ପୁରସ୍କାର’ରେ ସମ୍ମାନିତ କରାଯାଇଛି।
ଜ୍ୟୋତ୍ସ୍ନାଙ୍କ ସଫଳତାକୁ ନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।





