ଭୁବନେଶ୍ୱର:

ନାଗପୁରସ୍ଥିତ ଭିସିଏ ଷ୍ଟାଡିୟମ୍‌ରେ ଆୟୋଜିତ ବିସିସିଆଇ ୧୫ ବର୍ଷରୁ କମ୍‌ ବାଳିକା ଦିନିକିଆ ଏଲିଟ୍‌-ସି ମ୍ୟାଚ୍‌ରେ ଓଡ଼ିଶା ଦଳ ୭ ୱିକେଟ୍‌ର ସହଜ ବିଜୟ ସହିତ ଜମ୍ମୁ–କାଶ୍ମୀରକୁ ପରାଜିତ କରିଛି। ଶନିବାର ଅନୁଷ୍ଠିତ ଏହି ଲୋ-ସ୍କୋରିଂ ମୁକାବିଲାରେ ଓଡ଼ିଶା ବୋଲରମାନଙ୍କ ଶାଣିତ ପ୍ରଦର୍ଶନ ମ୍ୟାଚ୍‌ର ଦିଶା ଘୁରାଇଦେଇଥିଲା।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜମ୍ମୁ–କାଶ୍ମୀର ଦଳ ଓଡ଼ିଶାର ଅନ୍ବେଷା ସ୍ୱାଇଁ ଓ ରୋମି ପ୍ରଲିପ୍ତା ମଲ୍ଲିକଙ୍କ କାର୍ଯ୍ୟକର ବୋଲିଂ ସମ୍ମୁଖୀନ ହୋଇ ଅସହାୟ ହୋଇପଡ଼ିଥିଲା। ଦଳ ୩୪.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ କେବଳ ୧୧୭ ରନ୍‌ କରିପାରିଥିଲା। ଜମ୍ମୁ–କାଶ୍ମୀର ପକ୍ଷରୁ ସର୍ବାଧିକ ୨୮ ରନ୍‌ ହିଁ ଆସିଥିଲା। ଓଡ଼ିଶା ପକ୍ଷରୁ ଅନ୍ବେଷା ସ୍ୱାଇଁ ୧୬ ରନ୍‌ ଦେଇ ୪ ୱିକେଟ୍‌ ନେଇଥିବାବେଳେ ରୋମି ପ୍ରଲିପ୍ତା ୨୧ ରନ୍‌ ଖର୍ଚ୍ଚ କରି ୨ ୱିକେଟ୍‌ ଦାବି କରିଥିଲେ।

ଲକ୍ଷ୍ୟ ପଛୁଆ କରି ଓଡ଼ିଶା ଦଳ ୨୬.୪ ଓଭରରେ କେବଳ ୩ ୱିକେଟ୍‌ ହରାଇ ୧୧୮ ରନ୍‌ ସଂଗ୍ରହ କରି ବିଜୟ ହାସଲ କରିଥିଲା। ବ୍ୟାଟିଂରେ ଅନ୍ବେଷା ସ୍ୱାଇଁ ୪୭ ରନ୍‌ର ଅପରାଜିତ ପାଳି ଖେଳି ଦଳକୁ ଜୟ ପଥରେ ନେଇଥିଲେ। ସେହିପରି ଚିରଶ୍ରୀ ରାଉତ ୭୮ ବଲ୍‌ ଖେଳି ୪୦ ରନ୍‌ର ଦାୟିତ୍ୱପୂର୍ଣ୍ଣ ପାଳି ଖେଳି ଓଡ଼ିଶାର ବିଜୟକୁ ମଜବୁତ କରିଥିଲେ।