ଲାହୋର: ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚରେ ପାକିସ୍ତାନ ଅଷ୍ଟ୍ରେଲିଆକୁ ୨୨ ରନରେ ପରାଜିତ କରିଛି। ୧୬୯ ରନର ଲକ୍ଷ୍ୟ ପଛୁଆ କରୁଥିବା ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୪୬ ରନରେ ସୀମିତ ରହିଥିଲା।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଦଳ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୬୮ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସାଇମ୍‌ ଆୟୁବ ୪୦ ରନ କରି ସର୍ବାଧିକ ଅବଦାନ ଦେଇଥିବା ବେଳେ ଅଧିନାୟକ ସଲମାନ ଆଗା ୩୯ ରନ କରିଥିଲେ। ପୂର୍ବତନ ଅଧିନାୟକ ବାବର ଆଜମ ମଧ୍ୟ ୨୪ ରନର ଉପଯୁକ୍ତ ଇନିଂସ୍‌ ଖେଳିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ୍‌ ଜାମ୍ପା ୨୪ ରନ ଦେଇ ୪ଟି ୱିକେଟ୍‌ ନେଇ ସର୍ବଶ୍ରେଷ୍ଠ ବୋଲର୍‌ ଥିଲେ। ମାହିଲା ବିୟର୍ଡମ୍ୟାନ ଓ ଜାଭିଏର୍‌ ବାର୍ଟଲେଟ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

ଲକ୍ଷ୍ୟ ପଛୁଆ କରିବାକୁ ନେମିଥିବା ଅଷ୍ଟ୍ରେଲିଆ ଦଳ ପକ୍ଷରୁ କାମେରୁନ୍‌ ଗ୍ରିନ୍‌ ୩୬ ରନ କରି ସର୍ବାଧିକ ଅବଦାନ ଦେଇଥିବା ବେଳେ ଜାଭିଏର୍‌ ବାର୍ଟଲେଟ୍‌ ୩୪ ଓ ଟ୍ରାଭିସ୍‌ ହେଡ୍‌ ୨୩ ରନ କରିଥିଲେ। ପାକିସ୍ତାନ ପକ୍ଷରୁ ସାଇମ୍‌ ଆୟୁବ ଓ ଅବରାର ଅହମ୍ମଦ ୨ଟି ଲେଖାଏଁ ୱିକେଟ୍‌ ନେଇ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।