ନୂଆଦିଲ୍ଲୀ: ଏସିଆ କପ୍‌ରେ ଆଜି ହେବାକୁ ଥିବା ପାକିସ୍ତାନ ବନାମ ୟୁଏଇ ମ୍ୟାଚ୍‌ରେ ଅନିଶ୍ଚିତତା ସୃଷ୍ଟି ହୋଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ନିଜ ଦଳକୁ ହୋଟେଲରୁ ପଡିଆକୁ ଯିବାକୁ ବନ୍ଦ କରିଦେଇଛି। ଫଳରେ, ପାକିସ୍ତାନୀ ଦଳ ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ‌କୁ ଯାଇନାହିଁ, ଯେତେବେଳେ ୟୁଏଇ ଦଳ ଷ୍ଟାଡିୟମରେ ପହଞ୍ଚିଗଲାଣି।

ମ୍ୟାଚ୍‌ଟି ରାତି ୮ଟାରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପିସିବିର ନିଷ୍ପତ୍ତି ପରେ ଏହା ବାତିଲ ହେବାର ସମ୍ଭାବନା। ସୂତ୍ରମାନଙ୍କ କହିବା ଅନୁସାରେ, ପିସିବି ଶୀଘ୍ର ଲାହୋରରେ ସାମ୍ବାଦିକ ସମ୍ମିଳନୀ କରିବ।

ବିବାଦର ମୂଳ କାରଣ

ଭାରତ-ପାକିସ୍ତାନ ମ୍ୟାଚ୍ ପରେ, ପିସିବି ଆଇସିସିକୁ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ପାଇଁ ଅନୁରୋଧ କରିଥିଲା। କିନ୍ତୁ, ଆଇସିସି ଏହାକୁ ଅସ୍ବୀକାର କରିଥିଲା। ପରେ ପିସିବି ପୁଣିଥରେ ଚିଠି ଲେଖି, ଦାବି ପୂରଣ ନହେଲେ ଏସିଆ କପ୍‌କୁ ବର୍ଜନ କରିବାକୁ ଧମକ ଦେଇଥିଲା।

ପିସିବିର ଅଭିଯୋଗ ହେଉଛି, ଆଣ୍ଡି ପାଇକ୍ରଫ୍ଟ ଟସ୍ ସମୟରେ ପାକିସ୍ତାନୀ କ୍ୟାପ୍ଟେନକୁ ସୂର୍ଯ୍ୟକୁମାର ଯାଦବଙ୍କ ସହ ହାତ ମିଳାଇବାକୁ ବାଧ୍ୟ କରିଥିଲେ। କିନ୍ତୁ, ମ୍ୟାଚ୍ ପରେ ଭାରତୀୟ ଦଳ ପାକିସ୍ତାନୀ ଖେଳାଳିଙ୍କ ସହିତ ହାତ ମିଳାଇନଥିଲେ। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସ୍ପଷ୍ଟ କରିଥିଲେ ଯେ, ଏହି ନିଷ୍ପତ୍ତି ପହଲଗାମ୍ ଆକ୍ରମଣରେ ଶହୀଦ ସୈନିକମାନଙ୍କ ପ୍ରତି ସମ୍ମାନ ସୂଚକ।