ମୁମ୍ବାଇ, ୨୦।୧୨:

ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କଥା ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ଆଲୋଚନାରେ ଆସେ। କିନ୍ତୁ ଏହି ପ୍ରଚଳିତ ଧାରଣାରୁ ଭିନ୍ନ ମତ ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା। ରୋହିତଙ୍କ ମତାନୁସାରେ, ବେଙ୍ଗଲର ଅଭିଜ୍ଞ ୱିକେଟକିପର ଋଦ୍ଧିମାନ ସାହା ହେଉଛନ୍ତି ଭାରତର ସର୍ବକାଳୀନ ସର୍ବଶ୍ରେଷ୍ଠ ୱିକେଟକିପର।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ରୋହିତ ଶର୍ମା ସାହାଙ୍କ ୱିକେଟକିପିଂ କୌଶଳକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ସେ ଟେଷ୍ଟ କ୍ରିକେଟରେ ସାହାଙ୍କ ସହ ଅନେକ ମ୍ୟାଚ୍ ଖେଳିଛନ୍ତି ଏବଂ ସ୍ଲିପରେ ଠିଆ ହୋଇ ତାଙ୍କର କିପିଂକୁ ନିକଟରୁ ଦେଖିଛନ୍ତି। ତାଙ୍କ ମତାନୁସାରେ, ସାହାଙ୍କ ପରି ଦକ୍ଷ ୱିକେଟକିପର ସେ ଆଉ କାହାକୁ ଦେଖିନାହାନ୍ତି।

ରୋହିତ କହିଛନ୍ତି, ଭାରତୀୟ ପିଚ୍‌ରେ ବଲ୍ ଅଧିକ ଟର୍ଣ୍ଣ ହେଉଥିବା ସମୟରେ ଏବଂ ତଲୁଆ ରହୁଥିବା ବେଳେ ୱିକେଟ ପଛରେ ସଜାଗ ରହିବା ଅତ୍ୟନ୍ତ କଠିନ। ବିଶେଷକରି ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ସ୍ପିନରଙ୍କ ବିଭିନ୍ନ ପ୍ରକାର ବଲକୁ ସାହା ଯେପରି ନିଖୁଟ ଭାବେ ଆୟତ୍ତ କରନ୍ତି, ତାହା ସତ୍ୟିକି ପ୍ରଶଂସାର ଯୋଗ୍ୟ।

ପରିସଂଖ୍ୟାନ ଅନୁସାରେ, ଋଦ୍ଧିମାନ ସାହା ୪୦ଟି ଟେଷ୍ଟ ମ୍ୟାଚ୍‌ରେ ୯୨ଟି କ୍ୟାଚ୍ ଏବଂ ୧୨ଟି ଷ୍ଟମ୍ପିଂ କରିଛନ୍ତି। ସେହିପରି ଅନ୍ୟ ଫର୍ମାଟରେ ୯ଟି ମ୍ୟାଚ୍‌ରେ ୧୭ଟି କ୍ୟାଚ୍ ଏବଂ ୧ଟି ଷ୍ଟମ୍ପିଂ ତାଙ୍କ ନାମରେ ରହିଛି।

ଧୋନିଙ୍କ ଦୀର୍ଘ ସମୟର ଉପସ୍ଥିତି ଏବଂ ପରେ ଋଷଭ ପନ୍ତଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ କାରଣରୁ ସାହା ଅନେକ ସମୟ ଦଳ ଚୟନରୁ ବାଦ ପଡ଼ିଥିଲେ। ତଥାପି ‘ପିଓର ୱିକେଟକିପିଂ’ ଦୃଷ୍ଟିକୋଣରୁ ରୋହିତ ଶର୍ମା ସାହାଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର ଭାବେ ମାନ୍ୟତା ଦେଇଛନ୍ତି।