ଦୁବାଇ, ୧୫।୧୨:
ଭାରତୀୟ ମହିଳା କ୍ରିକେଟ୍ ଦଳର ଓପନର ଶେଫାଳି ବର୍ମା ନଭେମ୍ବର ମାସ ପାଇଁ ଆଇସିସି ‘ପ୍ଲେୟର ଅଫ୍ ଦି ମନ୍ଥ୍’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଦୁବାଇରୁ ଘୋଷିତ ଏହି ପୁରସ୍କାର ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ଦିଆଯାଇଛି।
ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଆହତ ପ୍ରତୀକା ରାଓଲଙ୍କ ପରିବର୍ତ୍ତେ ଦଳରେ ସୁଯୋଗ ପାଇଥିବା ଶେଫାଳି ୭୮ ବଲ୍ରେ ୮୭ ରନର ଶାନ୍ଦାର ଇନିଂସ ଖେଳିଥିଲେ। ଏହି ପାଳି ମହିଳା ବିଶ୍ୱକପ୍ ଫାଇନାଲରେ ଜଣେ ଭାରତୀୟ ଓପନରଙ୍କ ସର୍ବାଧିକ ସ୍କୋର ଭାବେ ରେକର୍ଡ ହୋଇଥିଲା।
ନଭି ମୁମ୍ବାଇରେ ଖେଳାଯାଇଥିବା ସେହି ମ୍ୟାଚ୍ରେ ଶେଫାଳିଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ଭାରତ ୭ ଉଇକେଟରେ ୨୯୮ ରନ କରିଥିଲା ଏବଂ ୫୨ ରନରେ ବିଜୟ ହାସଲ କରି ପ୍ରଥମଥର ପାଇଁ ବିଶ୍ୱକପ୍ ଟ୍ରଫି ଜିତିଥିଲା।
ଶେଫାଳି ଓ ସ୍ମୃତି ମନ୍ଧାନାଙ୍କ ଓପନିଂ ଯୁଗଳ ୧୦୪ ରନର ମଜବୁତ ଭାଗୀଦାରୀ କରି ଦଳକୁ ବଡ଼ ସ୍କୋର ଦିଗରେ ଆଗେଇ ନେଇଥିଲେ। ୨୧ ବର୍ଷୀୟ ଏହି ଯୁବ କ୍ରିକେଟର ଥାଇଲାଣ୍ଡର ଥିପାଚା ପୁଥାଓଙ୍ଗ୍ ଏବଂ ୟୁଏଇର ଇଶା ଓଜାଙ୍କୁ ପଛରେ ପକାଇ ପ୍ରଥମଥର ପାଇଁ ଆଇସିସି ‘ପ୍ଲେୟର ଅଫ୍ ଦି ମନ୍ଥ୍’ ପୁରସ୍କାର ଜିତିବାରେ ସଫଳ ହୋଇଛନ୍ତି।





