ତିରୁଅନନ୍ତପୁରମ: ଶେଫାଳି ବର୍ମା ଓ ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଇନିଂସ୍ର ଭରସାରେ ଭାରତୀୟ ମହିଳା କ୍ରିକେଟ ଦଳ ଚତୁର୍ଥ ଟ୍ବେଣ୍ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୩୦ ରନରେ ପରାସ୍ତ କରିଛି। ଏହି ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୪–୦ରେ ଅପରାଜେୟ ଅଗ୍ରତା ହାସଲ କରିଛି।
ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ ବାଛିଥିଲା। ଏହାର ଲାଭ ନେଇ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ୨୦ ଓଭରରେ ୨ ୱିକେଟ୍ ହରାଇ ୨୨୧ ରନ୍ କରିଥିଲା। ଶେଫାଳି ୪୬ ବଲ୍ରୁ ୭୯ ରନ୍ (୧୨ ଚୌକା, ୧ ଛକା) ଏବଂ ସ୍ମୃତି ୪୮ ବଲ୍ରୁ ୮୦ ରନ୍ (୧୧ ଚୌକା, ୩ ଛକା) କରି ପ୍ରଥମ ୱିକେଟ୍ ପାଇଁ ୧୫.୨ ଓଭରରେ ରେକର୍ଡ ୧୬୨ ରନ୍ର ଭାଗିଦାରି ସ୍ଥାପନ କରିଥିଲେ।
ଉଭୟ ଲଗାତାର ଓଭରରେ ଆଉଟ୍ ହେବା ପରେ ରିଚା ଘୋଷ ୧୬ ବଲ୍ରୁ ଅପରାଜିତ ୪୦ ରନ୍ (୪ ଚୌକା, ୩ ଛକା) ଏବଂ ହର୍ମନପ୍ରୀତ୍ କୌର୍ ୧୦ ବଲ୍ରୁ ଅପରାଜିତ ୧୬ ରନ୍ କରି ଶେଷ ୨୩ ବଲ୍ରୁ ୫୩ ରନ୍ ଯୋଗ କରିଥିଲେ।
ଏହି ଇନିଂସ୍ ସହ ସ୍ମୃତି ମନ୍ଧାନା ଅନ୍ତର୍ଜାତୀୟ କ୍ରିକେଟରେ ୧୦,୦୦୦ ରନ୍ ପୂରଣ କରିଥିବା ବିଶ୍ବର ଚତୁର୍ଥ ଏବଂ ଭାରତର ଦ୍ୱିତୀୟ ବ୍ୟାଟର୍ ହୋଇଛନ୍ତି। ସେ କେବଳ ୨୮୧ ପାଳିରେ ଏହି କୃତିତ୍ୱ ହାସଲ କରି ମିତାଲି ରାଜଙ୍କ (୨୯୧ ପାଳି) ରେକର୍ଡକୁ ପଛେ ପକାଇଛନ୍ତି। ଏହି ତାଲିକାର ଅନ୍ୟ ଦୁଇ ଖେଳାଳି ହେଲେ ଇଂଲଣ୍ଡର ଚାର୍ଲଟ୍ ଏଡ୍ୱାର୍ଡସ ଓ ନ୍ୟୁଜିଲାଣ୍ଡର ସୁଜି ବେଟ୍ସ।
୨୨୨ ରନ୍ର ଲକ୍ଷ୍ୟ ପିଛା କରି ଶ୍ରୀଲଙ୍କା ଦଳ ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୧ ରନ୍ରେ ସୀମିତ ରହିଥିଲା। ଶ୍ରୀଲଙ୍କା ପକ୍ଷରୁ ଚମରି ଅଟାପାଟଠୁ ୫୨ ରନ୍ କରିଥିବାବେଳେ ହସିନି ପରେରା ୩୩, ଇମେଶା ଦୁଲାନି ୨୯ ଏବଂ ନୀଲକ୍ଷିକା ସିଲଭା ୨୩ ରନ୍ ଯୋଗ କରିଥିଲେ।





