ନୂଆଦିଲ୍ଲୀ, ୨୦ ସେପ୍ଟେମ୍ବର: ଭାରତୀୟ ଓପେନର ସ୍ମୃତି ମନ୍ଧାନା ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍ରେ କେବଳ ୫୦ ବଲରେ ଶତକ ପୂରଣ କରି ଇତିହାସ ଗଢ଼ିଛନ୍ତି। ଏହା ମହିଳା ଦିନିକିଆ କ୍ରିକେଟ ଇତିହାସରେ ଦ୍ୱିତୀୟ ସବୁଠାରୁ ଦ୍ରୁତ ଶତକ।
ମନ୍ଧାନା ଏହି ଶତକ ସହିତ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟର କାରେନ୍ ରଲ୍ଟନଙ୍କୁ ପଛକୁ ପକାଇଛନ୍ତି। ରଲ୍ଟନ ୨୦୦୦-୦୧ରେ ୫୭ ବଲରେ ଶତକ ପୂରଣ କରିଥିଲେ। ମହିଳା ଦିନିକିଆ କ୍ରିକେଟରେ ଦ୍ରୁତତମ ଶତକର ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟିକା ମେଗ୍ ଲାନିଂଙ୍କ ନାମରେ ରହିଛି, ସେ ୨୦୧୨-୧୩ ସିଜନରେ ନ୍ୟୁଜିଲାଣ୍ଡ ବିପକ୍ଷରେ କେବଳ ୪୫ ବଲରେ ଶତକ କରିଥିଲେ।
୨୯ ବର୍ଷୀୟା ମନ୍ଧାନା ୬୩ ବଲରେ ୧୭ଟି ଚୌକା ଓ ୫ଟି ଛକା ସହାୟତାରେ ୧୨୫ ରନ୍ କରିଥିଲେ। ଏହା ତାଙ୍କର ୧୩ତମ ଦିନିକିଆ ଶତକ। ସେହିସହିତ, ଗୋଟିଏ ବର୍ଷରେ ପ୍ରଥମ ମହିଳା ବ୍ୟାଟର ଭାବେ ୪ଟି ଦିନିକିଆ ଶତକ ହାସଲ କରିବାର ସଫଳତା ମଧ୍ୟ ସେ ପାଇଛନ୍ତି।