ଭୁବନେଶ୍ବର: କ୍ରୀଡ଼ା କ୍ଷେତ୍ରର ଉନ୍ନତି ଓ ଅନ୍ତର୍ଜାତୀୟ ମାନଦଣ୍ଡରେ କ୍ରୀଡ଼ା ପ୍ରଦର୍ଶନ ବୃଦ୍ଧି ଲକ୍ଷ୍ୟରେ ଅଷ୍ଟ୍ରେଲିଆର ସିଡନି ୟୁନିଭର୍ସିଟି ସ୍ପୋର୍ଟ ଆଣ୍ଡ୍‌ ଫିଟନେସ୍ ଲିମିଟେଡ୍ ଓ କିଟ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶନିବାର ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି।

କିଟ୍ ପକ୍ଷରୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ସିଡନି ୟୁନିଭର୍ସିଟି ସ୍ପୋର୍ଟ ପକ୍ଷରୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଡୱାର୍ଡ ସ୍ମିଥ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତି ଅନୁସାରେ ଉଭୟ ପ୍ରତିଷ୍ଠାନ ମଧ୍ୟରେ କ୍ରୀଡ଼ା ପ୍ରଦର୍ଶନ ବୃଦ୍ଧି, ପ୍ରଶିକ୍ଷକ ଓ ବୃତ୍ତିଗତ ବିନିମୟ, କ୍ରୀଡ଼ା ବିଜ୍ଞାନ କ୍ଷମତା ବିକାଶ ଏବଂ କ୍ରୀଡ଼ାବିତ ପ୍ରସ୍ତୁତି କ୍ଷେତ୍ରରେ ସହଯୋଗ କରାଯିବ।

ବୁଝାମଣାପତ୍ର ଅନୁଯାୟୀ ସ୍ୱଳ୍ପକାଳୀନ ପ୍ରଶିକ୍ଷକ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ସିଡନି ୟୁନିଭର୍ସିଟି ସ୍ପୋର୍ଟର ପ୍ରଶିକ୍ଷକମାନେ କିଟ୍ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନ କରି ତାଲିମ ଅଧିବେଶନ, ପରାମର୍ଶ ଏବଂ ବୃତ୍ତିଗତ ବିକାଶ କର୍ମଶାଳା ପରିଚାଳନା କରିବେ। ଏହା ମାଧ୍ୟମରେ ଆଧୁନିକ ପ୍ରଶିକ୍ଷଣ ପଦ୍ଧତି, ବ୍ୟବହାରିକ ଜ୍ଞାନ ଏବଂ ଅନ୍ତର୍ଜାତୀୟ ମାନଦଣ୍ଡ ସହ ସମନ୍ୱିତ କ୍ରୀଡ଼ା-ନିର୍ଦ୍ଦିଷ୍ଟ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯିବ।

ସେହିପରି କିଟ୍ ପକ୍ଷରୁ ତାହାର ପ୍ରଶିକ୍ଷକମାନଙ୍କୁ ଅଷ୍ଟ୍ରେଲିଆରେ ସିଡନି ୟୁନିଭର୍ସିଟି ସ୍ପୋର୍ଟ ପରିଦର୍ଶନ କରିବାର ସୁଯୋଗ ମିଳିବ। ଏଥିରେ ସେମାନେ ଉନ୍ନତ କ୍ରୀଡ଼ା ପରିବେଶରେ କାର୍ଯ୍ୟ କରି ସିଧାସଳଖ ଅନୁଭବ ହାସଲ କରିପାରିବେ।

ଏହି ଉଦ୍ୟମକୁ ସ୍ୱାଗତ କରି କିଟ୍ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଛନ୍ତି ଯେ, ଏଭଳି ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ କୋଚିଂ ଦକ୍ଷତା ବୃଦ୍ଧି ପାଇବା ସହ ଆଥଲେଟ ପ୍ରସ୍ତୁତି, ତାଲିମ ଡିଜାଇନ୍ ଏବଂ କ୍ରୀଡ଼ା କାର୍ଯ୍ୟଦକ୍ଷତା ପରିଚାଳନାରେ ବିଶ୍ୱସ୍ତରୀୟ ଅଭ୍ୟାସକୁ ଅନୁସରଣ କରାଯିବ।

କିଟ୍ ଓ କିସ ଆରମ୍ଭରୁ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦେଇଆସୁଛି। କିଟ୍‌ର ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ହେତୁ ଏଠାରେ ସାରାବର୍ଷ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥାଏ, ଯାହା ଅନ୍ତର୍ଜାତୀୟ କ୍ରୀଡ଼ାଜଗତର ଦୃଷ୍ଟି ଆକର୍ଷଣ କରିଛି ବୋଲି ଡ. ସାମନ୍ତ କହିଛନ୍ତି।