ବେଙ୍ଗାଲୁରୁ, ୧୩/୧: ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଗ୍ରାଉଣ୍ଡ୍‌ରେ ମଙ୍ଗଳବାର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫି କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ବିଦର୍ଭ ଦଳ ଦୃଢ଼ ପ୍ରଦର୍ଶନ କରି ଦିଲ୍ଲୀକୁ ୭୬ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ବିଦର୍ଭ ସେମିଫାଇନାଲ୍‌ରେ ପ୍ରବେଶ କରିଛି।

ଟସ୍‌ ଜିତି ଦିଲ୍ଲୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବିଦର୍ଭ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ୍‌ ହରାଇ ୩୦୦ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ୟଶ ରାଠୋଡ଼ ୮୬ ରନ୍‌ କରି ସର୍ବାଧିକ ଅବଦାନ ରଖିଥିଲେ। ତାଙ୍କ ସହ ଅଥର୍ବ ଟାଇଡେ ୬୨ ଏବଂ ଧ୍ରୁବ ସୋରେ ୪୯ ରନ୍‌ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ।

ଦିଲ୍ଲୀ ପକ୍ଷରୁ ନୀତିଶ ରାଣା, ଇଶାନ୍ତ ଶର୍ମା, ନବଦୀପ ସାଇନି ଓ ପ୍ରିନ୍ସ ଯାଦବ ୨ଟି ଲେଖାଏଁ ଉଇକେଟ୍‌ ନେଇଥିଲେ।

୩୦୧ ରନ୍‌ର ଲକ୍ଷ୍ୟ ପିଛା କରିବାକୁ ଯାଇ ଦିଲ୍ଲୀ ଦଳ ୪୫.୧ ଓଭରରେ ୨୨୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଓପନର ପ୍ରିୟାଂଶ ଆର୍ଯ୍ୟା ଓ ବୈଭବ ଖଣ୍ଡପାଲ୍ ଆରମ୍ଭରୁ ୫୮ ରନ୍‌ର ଭଲ ଭାଗୀଦାରି କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଲଗାତାର ଉଇକେଟ୍‌ ପତନ ଦିଲ୍ଲୀକୁ ଚାପରେ ପକାଇଥିଲା। ମଧ୍ୟକ୍ରମରେ ଅନୁଜ ରାୱତ ୬୬ ରନ୍‌ କରି ପ୍ରତିରୋଧ ଗଢ଼ିଥିଲେ, କିନ୍ତୁ ସେଥିରୁ ଦଳକୁ ଜୟ ମିଳିପାରିନଥିଲା।

ବିଦର୍ଭ ବୋଲିଂ ଆକ୍ରମଣରେ ନଚିକେତ ଭୁଟେ ୪ଟି ଉଇକେଟ୍‌ ନେଇ ମ୍ୟାଚ୍‌ର ମୁଖ୍ୟ ନାୟକ ହୋଇଥିବାବେଳେ ହର୍ଷ ଦୁବେ ୩ଟି ଓ ପ୍ରଫୁଲ ହିଞ୍ଜେ ୨ଟି ଉଇକେଟ୍‌ ନେଇଥିଲେ।

ସଂକ୍ଷିପ୍ତ ସ୍କୋର:

ବିଦର୍ଭ – ୫୦ ଓଭରରେ ୩୦୦/୯

ଦିଲ୍ଲୀ – ୪୫.୧ ଓଭରରେ ୨୨୪ (ବିଦର୍ଭ ୭୬ ରନ୍‌ରେ ବିଜୟୀ)