ନୂଆଦିଲ୍ଲୀ, ୬ ଅକ୍ଟୋବର: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଛି। ଏଥିରେ ଶୁଭମନ ଗିଲଙ୍କୁ ନୂତନ ଦିନିକିଆ (ODI) ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ବିଜୟ ହୋଇଥିଲେ ମଧ୍ୟ, ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇ ନିଆଯାଇଛି।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ରୋହିତ ଅଧିନାୟକ ଭାବେ ନ ଥିଲେ ମଧ୍ୟ, ସେ ଓ ବିରାଟ କୋହଲି ଦୁହେଁ ODI ଦଳରେ ରହିବେ। ଟିମ ଘୋଷଣା ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି ଯେ ୨୦୨୭ ବିଶ୍ୱକପକୁ ମନରେ ରଖି ଯୁବ ଦଳ ଗଠନରେ ଜୋର ଦିଆଯାଉଛି ଏବଂ ତାହାର ଅଂଶ ଭାବେ ଶୁଭମନ ଗିଲଙ୍କୁ ନେତୃତ୍ୱ ଦିଆଯାଇଛି।

ବର୍ତ୍ତମାନ ରୋହିତ ଶର୍ମା ୩୮ ବର୍ଷ ବୟସରେ ଅଛନ୍ତି ଏବଂ ୨୦୨୭ ବିଶ୍ୱକପ ସମୟରେ ସେ ୪୦ ବର୍ଷରେ ପହଞ୍ଚିବେ। ଏହି ପରିସ୍ଥିତିରେ ଟିମ ଇଣ୍ଡିଆ ଆଗାମୀ ପିଢ଼ି ପାଇଁ ତୟାରି ଆରମ୍ଭ କରିଛି। କ୍ରିକେଟ ଗୁରୁ ସୁନୀଲ ଗାଭାସ୍କର ମତାନୁସାରେ, ରୋହିତଙ୍କୁ ଆଗାମୀ ବିଶ୍ୱକପ ପର୍ଯ୍ୟନ୍ତ ଫିଟନେସ ବଜାୟ ରଖିବା ପାଇଁ ଘରୋଇ କ୍ରିକେଟ ଖେଳି ରିଥ୍ମ ରଖିବା ଆବଶ୍ୟକ।

ଯଦିଓ ବିରାଟ ଓ ରୋହିତ ଏପର୍ଯ୍ୟନ୍ତ ODIରୁ ଅବସର ଘୋଷଣା କରିନାହାଁନ୍ତି, କିନ୍ତୁ କ୍ରିକେଟ ମହଳରେ ଆଶଙ୍କା ବଢ଼ିଛି ଯେ ଅଷ୍ଟ୍ରେଲିଆର ଏହି ଗସ୍ତ ସେମାନଙ୍କ ପାଇଁ ଶେଷ ODI ହୋଇପାରେ।

କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ଟଡ ଗ୍ରୀନବର୍ଗ କହିଛନ୍ତି, “ସମ୍ଭବତଃ ଏହା ହେବ ସେମାନଙ୍କୁ ଆମ ମାଟିରେ ଶେଷ ଥର ଖେଳିବା ଦେଖିବା ସୁଯୋଗ। ତେଣୁ ଆମେ ବିରାଟ ଓ ରୋହିତଙ୍କୁ ଏକ ସମ୍ମାନଜନକ ବିଦାୟ ଦେବାକୁ ଚାହୁଁଛୁ, ଯାହା ଅନ୍ତର୍ଜାତୀୟ କ୍ରିକେଟରେ ସେମାନଙ୍କ ଅବଦାନକୁ ପ୍ରତିଫଳିତ କରିବ।”