ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚି ଏବେ ପୂରା ଦେଶକୁ ଗର୍ବିତ କରିଛି। ୫୨ ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ବିଶ୍ୱକପ୍‌ ଜିତି ନୂଆ ଇତିହାସ ଗଢ଼ିଛି। ରବିବାର ରାତିରେ ନଭି ମୁମ୍ବାଇର ଡି.ୱାଇ. ପାଟିଲ୍ ଷ୍ଟାଡିୟମରେ ହୋଇଥିବା ଫାଇନାଲ୍‌ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ପରାସ୍ତ କରି ବିଶ୍ୱକପ୍‌ ଉଠାଇଲା।

୨୦୦୫ ରେ ଅଷ୍ଟ୍ରେଲିଆ ଓ ୨୦୧୭ ରେ ଇଂଲଣ୍ଡଠାରୁ ଫାଇନାଲରେ ହାରି ରନର୍ସଅପ୍‌ ହୋଇଥିବା ଭାରତୀୟ ମହିଳା ଦଳ ଏବେ ତୃତୀୟ ଚେଷ୍ଟାରେ ବିଶ୍ୱ ବିଜେତା ହେବାର ସଫଳତା ଅଜ୍ଞାପନ କରିଛି। ଏହି ବିଜୟ ସହିତ ୧୯୮୩ ମସିହାରେ କପିଳ ଦେବଙ୍କ ପୁରୁଷ ଦଳ ଯେପରି ଇତିହାସ ଲେଖିଥିଲେ, ସେପରି ମହିଳା ଦଳ ମଧ୍ୟ ଭାରତୀୟ କ୍ରିକେଟରେ ଏକ ନୂଆ ଅଧ୍ୟାୟ ଖୋଲିଛି।

ବିସିସିଆଇର ବଡ଼ ଘୋଷଣା

ଏହି ଐତିହାସିକ ବିଜୟ ପରେ ବିସିସିଆଇ ମହିଳା ଦଳ ଉପରେ ଟଙ୍କା ବର୍ଷା କରିବା ଘୋଷଣା କରିଛି। ସଂସ୍ଥା ସଚିବ ଦେବଜିତ ସାଇକିଆ କହିଛନ୍ତି — “୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ଜୟ ଶାହଙ୍କ ନେତୃତ୍ୱରେ ମହିଳା କ୍ରିକେଟରେ ଅନେକ ପରିବର୍ତ୍ତନ ଆସିଛି, ଯେଉଁଥିରେ ଦରମା ସମାନତା ଓ ପୁରସ୍କାର ରାଶି ବୃଦ୍ଧି ମୁଖ୍ୟ।”

ସାଇକିଆ ଅଧିକ କହିଛନ୍ତି ଯେ, “ଗତ ମାସରେ ଆଇସିସି ଅଧ୍ୟକ୍ଷ ଜୟ ଶାହ ମହିଳା ପୁରସ୍କାର ରାଶିକୁ ୩୦୦ ପ୍ରତିଶତ ବୃଦ୍ଧି କରି ୧୪ ନିୟୁତ ଡଲାର କରିଥିଲେ। ଏବେ ବିସିସିଆଇ ଖେଳାଳି, ପ୍ରଶିକ୍ଷକ ଓ ସହାୟକ କର୍ମଚାରୀ ସମେତ ସମଗ୍ର ଟିମ୍ ପାଇଁ ₹୫୧ କୋଟି ପୁରସ୍କାର ଘୋଷଣା କରିଛି।”