ନୂଆଦିଲ୍ଲୀ: ଚିପ୍‌ ଭିତ୍ତିକ ଉପକରଣର ଦାମ୍‌ ଆଗାମୀ କିଛି ମାସ ମଧ୍ୟରେ ବଢ଼ିବାକୁ ଯାଉଛି। ବିଶେଷକରି ସ୍ମାର୍ଟଫୋନ୍‌, ସ୍ମାର୍ଟ ଟିଭି ଓ ଲାପ୍‌ଟପ୍‌ କିଣିବା ପାଇଁ ଗ୍ରାହକମାନେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ। ବଜାର ଆକଳନ ଅନୁସାରେ, ଏହି ଡିଭାଇସ୍‌ଗୁଡ଼ିକର ଦାମ୍‌ରେ ୪ରୁ ୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିବାର ସମ୍ଭାବନା ରହିଛି।

ବିଶ୍ୱବ୍ୟାପୀ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଓ ହାଇ-ପରଫରମାନ୍ସ କମ୍ପ୍ୟୁଟିଂ ଡିଭାଇସ୍‌ ପ୍ରତି ଚାହିଦା ବଢ଼ିବାରୁ ଚିପ୍‌ ସଙ୍କଟ ଗଭୀର ହୋଇଛି। ବଜାର ଗବେଷଣା ସଂସ୍ଥା ଆଇଡିସି ଅନୁସାରେ, ଆଗାମୀ ଦିନରେ ପର୍ସନାଲ୍‌ କମ୍ପ୍ୟୁଟର (ପିସି) ଦାମ୍‌ ୪–୬ ପ୍ରତିଶତ ଓ ସ୍ମାର୍ଟଫୋନ୍‌ ଦାମ୍‌ ୩–୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ।

ପୂର୍ବରୁ ଚିପ୍‌ ମୁଖ୍ୟତଃ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଉପକରଣରେ ବ୍ୟବହୃତ ହେଉଥିଲା ଏବଂ ସେହିଅନୁସାରେ ଉତ୍ପାଦନ ହେଉଥିଲା। କିନ୍ତୁ ଏଆଇ ଗ୍ରହଣୀୟତା ହଠାତ୍‌ ବଢ଼ିଯିବାରୁ ହାଇ-ପରଫରମାନ୍ସ ଡିଭାଇସ୍‌, ଇଲେକ୍ଟ୍ରିକ୍‌ ଯାନ ଓ ଏଆଇ ଡାଟା ସେଣ୍ଟର୍‌ରେ ଉଚ୍ଚମାନର ଚିପ୍‌ର ଚାହିଦା ଦ୍ରୁତ ଭାବେ ବଢ଼ିଛି।

ତାଇପେଇ ଭିତ୍ତିକ ସଂସ୍ଥା ଟ୍ରେଣ୍ଡଫୋର୍ସ ଆକଳନ କରିଛି ଯେ, ଚଳିତ ତ୍ରୈମାସିକରେ ସାଧାରଣ ଡିଆରଏଏମ୍‌ ମେମୋରି ଚିପ୍‌ର ଦାମ୍‌ ୫୦–୫୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ। ଏହାର ପ୍ରଭାବରେ ଲାପ୍‌ଟପ୍‌ ଓ ପିସି ଦାମ୍‌ରେ ବଡ଼ ଧରଣର ବୃଦ୍ଧି ଆଶଙ୍କା କରାଯାଉଛି। ଲେନୋଭୋ, ଡେଲ, ଏଚ୍‌ପି, ଏସର୍‌ ଓ ଆସୁସ୍‌ ଭଳି ପ୍ରମୁଖ କମ୍ପାନୀଗୁଡ଼ିକ ଆଗାମୀ ସମୟରେ ଦାମ୍‌ ୧୫–୨୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ନିଜ ଗ୍ରାହକଙ୍କୁ ଅଗ୍ରିମ ସୂଚନା ଦେଇସାରିଛନ୍ତି।

ସ୍ମାର୍ଟଫୋନ୍‌ ବଜାରରେ ମଧ୍ୟମ ଓ ନିମ୍ନ-ମଧ୍ୟମ ବର୍ଗର ଡିଭାଇସ୍‌ ଉପରେ ଅଧିକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି, କାରଣ ଏହି ଫୋନ୍‌ଗୁଡ଼ିକରେ ମେମୋରି ଚିପ୍‌ର ଭୂମିକା ଅଧିକ। ୨୦୨୬ରେ ବଜାରକୁ ଆସିବାକୁ ଥିବା ଏହି ବର୍ଗର ଫୋନ୍‌ଗୁଡ଼ିକ ମହଙ୍ଗା ହେବାର ଆଶଙ୍କା କରାଯାଉଛି। ସେହିପରି ସାମସଙ୍ଗ୍‌ ଓ ଚୀନୀ କମ୍ପାନୀଗୁଡ଼ିକ ତିଆରି କରୁଥିବା ଏଲ୍‌ଇଡି ଓ ଏଲ୍‌ସିଡି ଟିଭିର ଦାମ୍‌ ମଧ୍ୟ ବଢ଼ିବ।

ବଜାର ବିଶେଷଜ୍ଞମାନଙ୍କ ମତରେ, ମେମୋରି ଚିପ୍‌ ସଙ୍କଟ ୨୦୨୭ ପର୍ଯ୍ୟନ୍ତ ଜାରି ରହିପାରେ। ଚଳିତ ବର୍ଷ ଡିଆରଏଏମ୍‌ ଓ ଏନଏଏନ୍‌ଡି ଚିପ୍‌ର ଯୋଗାଣ ଯଥାକ୍ରମେ ୧୬ ପ୍ରତିଶତ ଓ ୧୭ ପ୍ରତିଶତ କମ୍‌ ରହିବ ବୋଲି ଆକଳନ। ଚିପ୍‌ ନିର୍ମାତା ମାଇକ୍ରନ୍‌ ନୂଆ କାରଖାନା ସ୍ଥାପନ କରୁଥିଲେ ମଧ୍ୟ ୨୦୨୭ ପୂର୍ବରୁ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସମ୍ଭାବନା କମ୍‌। ଏହିକାରଣରୁ ଆଗାମୀ ଦିନରେ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଗ୍ରାହକମାନେ ଦରବୃଦ୍ଧିରୁ ବଡ଼ ଆଶ୍ୱସ୍ତି ପାଇବେନି ବୋଲି ବଜାର ମହଳରେ ମତ ପ୍ରକାଶ ପାଉଛି।