ମୁମ୍ବାଇ, ୧୮।୧: ଦେଶରେ ଅନଲାଇନ୍ ପେମେଣ୍ଟ ବ୍ୟବସ୍ଥା ଦିନକୁଦିନ ଲୋକପ୍ରିୟ ହେଉଥିବା ବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ତାଙ୍କ ଗ୍ରାହକଙ୍କ ପାଇଁ ଟ୍ରାଞ୍ଜାକ୍ସନ ଚାର୍ଜରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛି। ବ୍ୟାଙ୍କର ନୂତନ ନିୟମ ଅନୁଯାୟୀ, IMPS (Immediate Payment Service) ମାଧ୍ୟମରେ ଅନଲାଇନ୍ ଟଙ୍କା ପଠାଇଲେ ଏବେ ଗ୍ରାହକଙ୍କୁ ନିର୍ଦ୍ଧାରିତ ଶୁଳ୍କ ଦେବାକୁ ପଡ଼ିବ।
SBI ସୂଚନା ଅନୁସାରେ, ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ IMPS ଟ୍ରାଞ୍ଜାକ୍ସନ ପୂର୍ବଭଳି ମାଗଣା ରହିବ। କିନ୍ତୁ ଏହାଠାରୁ ଅଧିକ ରାଶି ପଠାଇଲେ ଶୁଳ୍କ ଲାଗୁ ହେବ। ୨୫,୦୦୦ ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ ପାଇଁ ୨ ଟଙ୍କା + GST, ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ପାଇଁ ୬ ଟଙ୍କା + GST ଏବଂ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନରେ ୧୦ ଟଙ୍କା + GST ଶୁଳ୍କ ଧାର୍ଯ୍ୟ କରାଯାଇଛି।
ତେବେ DSP, PMSP ଓ ସୌର୍ଯ୍ୟ ଫ୍ୟାମିଲି ପେନସନ ଭଳି କିଛି ବିଶେଷ ଶ୍ରେଣୀର ଆକାଉଣ୍ଟଧାରୀଙ୍କୁ ଏହି IMPS ଶୁଳ୍କରୁ ଛାଡ଼ ଦିଆଯାଇଛି। ଏହାସହ ବ୍ୟାଙ୍କ ଶାଖା ମାଧ୍ୟମରେ କରାଯାଉଥିବା IMPS କାରବାରରେ କୌଣସି ପରିବର୍ତ୍ତନ ହୋଇନାହିଁ।
IMPS ଚାର୍ଜ ସହିତ SBI ATM ଓ ADWM କାରବାର ଶୁଳ୍କରେ ମଧ୍ୟ ସଂଶୋଧନ କରିଛି। ଡିସେମ୍ବର ୧, ୨୦୨୫ ଠାରୁ ନିର୍ଦ୍ଧାରିତ ମାଗଣା ସୀମା ପରେ ଅନ୍ୟ ବ୍ୟାଙ୍କ ATM ରୁ ଟଙ୍କା ଉଠାଇଲେ ୨୩ ଟଙ୍କା + GST ଦେବାକୁ ପଡ଼ିବ। ଦରମା ଭିତ୍ତିକ ଆକାଉଣ୍ଟଧାରୀଙ୍କ ପାଇଁ ମାସକୁ ୧୦ଟି ମାଗଣା ଟ୍ରାଞ୍ଜାକ୍ସନ ସୁବିଧା ପୂର୍ବଭଳି ଜାରି ରହିବ।
ତେବେ BSBD (Basic Savings Bank Deposit) ଏବଂ କିସାନ କ୍ରେଡିଟ୍ କାର୍ଡ (KCC) ଆକାଉଣ୍ଟଧାରୀଙ୍କ ଉପରେ ଏହି ବର୍ଦ୍ଧିତ ATM ଓ ADWM ଶୁଳ୍କ ଲାଗୁ ହେବ ନାହିଁ ବୋଲି SBI ସ୍ପଷ୍ଟ କରିଛି।





