ଛତ୍ରପତି ସମ୍ଭାଜୀନଗର:

ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ସହରରେ ଏକ ଶସ୍ତା ଶାଢ଼ି ଅଫରକୁ ନେଇ ଅପ୍ରତ୍ୟାଶିତ ଦଳାଚକଟା ସୃଷ୍ଟି ହୋଇଛି। ଏକ ନୂତନ ଶାଢ଼ି ଦୋକାନରେ ଘୋଷିତ ଭାରି ରିଆୟତି ଖବର ଶୁଣି ହଜାରରୁ ଅଧିକ ମହିଳା ଏକାଠି ହୋଇଥିବା ବେଳେ ଭିଡ଼ ଅନିୟନ୍ତ୍ରିତ ହୋଇପଡ଼ିଥିଲା। ଏହି ଘଟଣାରେ ତିନି ଜଣ ମହିଳା ଶ୍ୱାସରୁଦ୍ଧ ହୋଇ ବେହୋସ ହୋଇଯାଇଥିଲେ।

ସୂଚନା ଅନୁଯାୟୀ, ତ୍ରିମୂର୍ତ୍ତି ଛକ ନିକଟରେ ଥିବା ଏକ ଶାଢ଼ି କେନ୍ଦ୍ର ପକ୍ଷରୁ ୫ ହଜାର ଟଙ୍କା ମୂଲ୍ୟର ଶାଢ଼ି ୫୯୯ ଟଙ୍କାରେ ଦେବାକୁ ଘୋଷଣା କରାଯାଇଥିଲା। ମକର ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ଦିଆଯାଇଥିବା ଏହି ଅଫର ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହୋଇଥିଲା। ଫଳରେ ଦୋକାନ ଉଦଘାଟନ ପୂର୍ବରୁ ସକାଳୁ ହିଁ ମହିଳାମାନେ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ।

ସକାଳ ୧୧ଟାରେ ଦୋକାନ ଖୋଲିବା ସହିତ ହଠାତ୍ ସମସ୍ତେ ଏକାଠି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଦଳାଚକଟା ହୋଇ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଥିଲା। ଭିଡ଼ର ଚାପରେ କିଛି ମହିଳା ଓ ପିଲା ଅସୁସ୍ଥ ହୋଇପଡ଼ିଥିଲେ, ଯାହାମଧ୍ୟରୁ ତିନି ଜଣ ମହିଳା ଅଚେତ ହୋଇଯାଇଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିଥିଲା। ପରିସ୍ଥିତି ସମ୍ଭାଳିବା ପାଇଁ ଦୋକାନକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ଧୀରେଧୀରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି।