ନୂଆ ଦିଲ୍ଲୀ/ଭୁବନେଶ୍ୱର: ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟରେ ଜଡିତ ଥିବା ଅଭିଯୋଗରେ ଗିରଫ ହୋଇଥିବା YouTuber ଜ୍ୟୋତି ମଲହୋତ୍ରା ବିରୋଧରେ ତଦନ୍ତ ଜାରି ଅଛି। ଏଥିରେ ଏବେ ଏକ ନୂଆ ମୋଡ଼ ଦେଖାଯାଇଛି। ତଦନ୍ତରେ ଜଣାପଡ଼ିଛି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଜ୍ୟୋତି ପାକିସ୍ତାନ ଗସ୍ତ କରିଥିଲେ। ସେ କେବଳ ଦେଶ ବାହାରକୁ ଯାଇନଥିଲେ, ବରଂ ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନର ଏକ ଅଧିକାରୀଙ୍କ ସହ ମଧ୍ୟ ଯୋଗାଯୋଗ କରିଥିବା ସନ୍ଦେହ ମଧ୍ୟ ଉଠିଛି।
ତଦନ୍ତ ଏତିକିରେ ଥମି ନାହିଁ, ଓଡ଼ିଶାର ପୁରୀ ଜିଲ୍ଲାର ଏକ ଅନ୍ୟ YouTuber ପ୍ରିୟଙ୍କା ସେନାପତିଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଦୁହିଁ ଯୁଟ୍ୟୁବରଙ୍କ ମଧ୍ୟରେ ଗଭୀର ସମ୍ପର୍କ ଥିବା ସୂଚନା ମିଳିଛି।
ଏହି ଘଟଣାକୁ ନେଇ ହିସାର ଏସପି ଶଶାଙ୍କ କୁମାର କହିଛନ୍ତି, “ଏହି ଯୁଦ୍ଧ କେବଳ ସୀମା ଉପରେ ନୁହେଁ, ଦେଶ ଭିତରେ ମଧ୍ୟ ଲଢ଼ାଯାଉଛି। ଆଜି ପାକିସ୍ତାନୀ ଏଜେନ୍ସିମାନେ ଭାରତୀୟ ସୋସିଆଲ ମିଡିଆ ପ୍ରଭାବଶାଳୀମାନଙ୍କୁ ଲକ୍ଷ୍ୟ କରୁଛନ୍ତି, ସେମାନଙ୍କ ମାଧ୍ୟମରେ ଦେଶରେ ଆନ୍ତରିକ ଅସ୍ଥିରତା ସୃଷ୍ଟି କରିବା ଚେଷ୍ଟା ହେଉଛି।”
ତଦନ୍ତକାରୀ ଏଜେନ୍ସିମାନଙ୍କ ମତାନୁସାରେ, ଜ୍ୟୋତି ମଲହୋତ୍ରା କେବଳ YouTuber ନୁହେଁ, ସେ ପାକିସ୍ତାନୀ ଏଜେନ୍ସିମାନଙ୍କ ପାଇଁ ଏକ ଏସେଟ୍ (Asset) ଭାବରେ ବ୍ୟବହୃତ ହେଉଥିଲେ। ସେ ପୂର୍ବରୁ ଚୀନ୍ ଗସ୍ତ କରିଥିବା ସୂଚନା ମଧ୍ୟ ତଦନ୍ତରେ ଆସିଛି। ସେ ଅନ୍ୟ କାହାର ଖର୍ଚ୍ଚରେ ପାକିସ୍ତାନ ଯାଉଥିଲେ ବୋଲି ଏବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟାନ୍ୟ ନିଜୀ ସୂଚନା ତଦନ୍ତ କରାଯାଉଛି।
ଏହି ମାମଲା ମଧ୍ୟରେ ସବୁଠୁ ଚିନ୍ତାଜନକ ଦିଗ ହେଉଛି – ଏଭଳି ଗୁପ୍ତଚରମାନେ ସୋସିଆଲ ମିଡିଆ ଭିଡିଓରେ ଭାରତୀୟ ସୁରକ୍ଷା ବ୍ୟବସ୍ଥାକୁ ନିନ୍ଦା କରି ଜନସାଧାରଣଙ୍କ ମନମନିଷାରେ ଦ୍ୱନ୍ଦ ସୃଷ୍ଟି କରୁଥିଲେ। ଏହା ଏକ ନୂଆ ପ୍ରକାରର ଆଇତେ ଯୁଦ୍ଧ – ମନୋବୈଜ୍ଞାନିକ ଯୁଦ୍ଧ, ଯେଉଁଥିରେ ଗୁଳି-ବୋମା ନୁହେଁ, କଥା ଓ ପ୍ରଭାବ ଦ୍ୱାରା ଦେଶକୁ ଅସ୍ଥିର କରିବା ଚେଷ୍ଟା ହେଉଛି।
ପ୍ରସଙ୍ଗତ, ଏହି ମାମଲାରେ ଏପର୍ଯ୍ୟନ୍ତ ୬ ଜଣ ଭାରତୀୟ ଗିରଫ ହୋଇଛନ୍ତି। ତେଣୁ ଏହି ଘଟଣା କେବଳ ଜ୍ୟୋତି ପର୍ଯ୍ୟନ୍ତ ସୀମିତ ନୁହେଁ, ଏହା ପାଛରେ ବଡ଼ ଷଡ଼ଯନ୍ତ୍ର ଥିବା ଦୃଢ଼ ସନ୍ଦେହ ଉଠିଛି।