ଭୁବନେଶ୍ୱର/ସମସ୍ତିପୁର/ବେଗୁସରାଇ: ବିହାର ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସମସ୍ତିପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରି ମହାଗଠବନ୍ଧନ ଉପରେ ତୀବ୍ର ଆକ୍ରମଣ ଚାଳିଥିଲେ। ସେ କହିଛନ୍ତି ଯେ, “ବିହାର ଏବେ ଜଙ୍ଗଲରାଜରୁ ସୁଶାସନ ଆଡ଼କୁ ଆସିଛି। ଲଣ୍ଠନ ଯୁଗ ଶେଷ ହୋଇଛି, ଏବେ ଆଲୋକ ଓ ବିକାଶର ଯୁଗ ଚାଲିଛି।”
ମୋଦୀ ଜନସଭାରେ ଲୋକମାନଙ୍କୁ ପଚାରିଥିଲେ — “ଆପଣମାନେ ଲଣ୍ଠନର ଯୁଗ ଚାହାଁନ୍ତି କି ଆଲୋକର ଯୁଗ?” — ଯାହାର ଉତ୍ତରରେ ଜନତା ମୋବାଇଲ ଫୋନ୍ର ଟର୍ଚ୍ ଜାଳି “ଆଲୋକର ଯୁଗ” ଭାବେ ଉତ୍ସାହିତ ହୋଇ ଉତ୍ତର ଦେଇଥିଲେ।
ପ୍ରଧାନମନ୍ତ୍ରୀ ଏହି ସମୟରେ ନୀତୀଶ କୁମାରଙ୍କ ଶାସନକୁ ଶ୍ରେୟ ଦେଇ କହିଛନ୍ତି ଯେ, “ନୀତୀଶଜୀ ବିହାରକୁ ଜଙ୍ଗଲରାଜରୁ ସୁଶାସନ ଆଡ଼କୁ ଆଣିଛନ୍ତି, ଏବେ ସୁଶାସନରୁ ବିକାଶ ଆଡ଼କୁ ଆଣିବା ଆମ ଲକ୍ଷ୍ୟ।”
ଏନଡିଏର ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କଲେ ମୋଦୀ
ମହାଗଠବନ୍ଧନ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ, ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ରାଜନୈତିକ ଚର୍ଚ୍ଚା ଜୋରଦାର ହୋଇଥିଲା। ଏହି ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପରୋକ୍ଷ ଭାବରେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ, ନୀତୀଶ କୁମାର ଏନଡିଏର ନେତୃତ୍ୱ ନେଇ ଆଗୁଆଣ ହେବେ।
ସେ କହିଛନ୍ତି, “ଏନଡିଏର ନିର୍ବାଚନ ଏଜେଣ୍ଡା ହେବ ସୁଶାସନ ଓ ବିକାଶ। ଏହି ମାର୍ଗରେ ନୀତୀଶଜୀଙ୍କ ଅଭିଜ୍ଞତା ଓ ନେତୃତ୍ୱ ହେଉଛି ବିହାରର ଶକ୍ତି।”
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ସଭା ମାଧ୍ୟମରେ ବିହାରରେ ଏନଡିଏ ନିଜ ପ୍ରଚାର ଅଭିଯାନକୁ ଜୋରଦାର ଆରମ୍ଭ କରିଛି, ଯେଉଁଠାରେ “ଜଙ୍ଗଲ ରାଜ ବନାମ ସୁଶାସନ ଓ ବିକାଶ” ହେଉଛି ମୁଖ୍ୟ ବିଷୟ।





