ଭୁବନେଶ୍ୱର: ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ଗତି ଦେବା ପାଇଁ ଭୁବନେଶ୍ୱର, କଟକ, ପୁରୀ ଓ ପାରାଦୀପକୁ ଏକତ୍ର କରି ଏକ ବିଶେଷ ଅର୍ଥନୈତିକ ଅଞ୍ଚଳ ଭାବେ ବିକଶିତ କରିବାକୁ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ‘ବିସିପିପିଇଆର୍‌’ (BCPPER) ନାମରେ ପରିଚିତ ଏହି ଅଞ୍ଚଳ ପାଇଁ ନୀତି ଆୟୋଗ ପକ୍ଷରୁ ଏକ ସମଗ୍ର ଅର୍ଥନୈତିକ ପ୍ରୟୋଜନା ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏହି ଯୋଜନାର ଔପଚାରିକ ଶୁଭାରମ୍ଭ କରିଛନ୍ତି।

ବର୍ତ୍ତମାନ ଏହି ଚାରି ସହରକୁ ନେଇ ଗଠିତ ଅଞ୍ଚଳର ଅର୍ଥନୀତି ଓଡ଼ିଶାର ମୋଟ ଅର୍ଥନୀତିର ପ୍ରାୟ ୧୯ ପ୍ରତିଶତ ଅଂଶ ଦେଉଛି, ଯାହାର ଆକାର ପ୍ରାୟ ୨୨.୪ ବିଲିଅନ୍ ଡଲାର। ଆଗାମୀ ୨୦ ବର୍ଷରେ, ଅର୍ଥାତ୍ ୨୦୪୭ ସୁଦ୍ଧା ଏହାକୁ ୫୦୦ ବିଲିଅନ୍ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧରାଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଅଞ୍ଚଳକୁ ରାଜ୍ୟର ଆର୍ଥିକ ବିକାଶର ମୁଖ୍ୟ କେନ୍ଦ୍ରସ୍ଥଳ ଭାବେ ଗଢ଼ିଉଠାଯିବ। ପ୍ରତ୍ୟେକ ସହରର ନିଜସ୍ୱ ସାମର୍ଥ୍ୟ ଓ ପରିଚୟକୁ ଧ୍ୟାନରେ ରଖି ବିକାଶ କାର୍ଯ୍ୟ ହେବ। ଟେକ୍ନୋଲୋଜିରେ ଭୁବନେଶ୍ୱର, ବ୍ୟବସାୟ ପରମ୍ପରାରେ କଟକ, ସାଂସ୍କୃତିକ ଗରିମାରେ ପୁରୀ ଓ ବନ୍ଦରକେନ୍ଦ୍ରିକ ଶିଳ୍ପରେ ପାରାଦୀପକୁ ବିଶେଷ ଗୁରୁତ୍ୱ ଦିଆଯିବ।

ଏହି ରୋଡମ୍ୟାପ ଅନୁସାରେ ମେଟାଲ୍ ଡାଉନ୍‌ଷ୍ଟ୍ରିମ୍, ବାୟୋଟେକ୍, ଟେକ୍ସଟାଇଲ୍, କେମିକାଲ୍, ପର୍ଯ୍ୟଟନ, ଶିକ୍ଷା ଓ ଆଇଟି ସହିତ ୮୦ରୁ ଅଧିକ ପ୍ରକଳ୍ପ ଗଠନର ପରିକଳ୍ପନା ରହିଛି। ସହିତେ ୩୦ରୁ ଅଧିକ ନୀତିଗତ ସଂସ୍କାର ଆଣି ଅଞ୍ଚଳଟିକୁ ଉଦ୍ୟୋଗ ଓ ନିବେଶ ପାଇଁ ଆକର୍ଷଣୀୟ କରାଯିବ।

କେନ୍ଦ୍ର ସରକାରଙ୍କ ୨୦୨୬–୨୭ ବଜେଟ୍‌ରେ ସିଟି ଇକୋନୋମିକ୍ ରିଜିଅନ୍‌ (CER) ପରିକଳ୍ପନା ରହିଥିବାବେଳେ, ଏହି BCPPER ଅଞ୍ଚଳ ମଧ୍ୟ ସେଥିରେ ସ୍ଥାନ ପାଇଛି। ପ୍ରତ୍ୟେକ ଏପରି ଅଞ୍ଚଳର ବିକାଶ ପାଇଁ ୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟର ବ୍ୟବସ୍ଥା ରହିଛି।

କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଏହି ଯୋଜନା ଓଡ଼ିଶାର ଭବିଷ୍ୟତ ବିକାଶରେ ନିର୍ଣ୍ଣାୟକ ସାବ୍ୟସ୍ତୁ ହେବ। ପରେ ରାଜ୍ୟର ଅନ୍ୟ ସହରଗୁଡ଼ିକ ପାଇଁ ମଧ୍ୟ ଏଭଳି ଅର୍ଥନୈତିକ ପ୍ରୟୋଜନା ଆଣାଯିବ ବୋଲି ସେ ସୂଚନା ଦେଇଥିଲେ।

ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା କହିଥିଲେ, ଦେଶର ପ୍ରମୁଖ ସହର ବିକାଶ ତାଲିକାର ପ୍ରଥମ ପାଞ୍ଚଟି ମଧ୍ୟରେ ଏହି ଅଞ୍ଚଳ ସ୍ଥାନ ପାଇଛି। ଏହାର ବିକାଶ ସହିତ ସ୍ଥାନୀୟ ଲୋକଙ୍କ ଜୀବନମାନ ଓ ରୋଜଗାର ସୁଯୋଗ ଉନ୍ନତି ପାଇବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ନୀତି ଆୟୋଗ ସିଇଓ ବି.ଭି.ଆର୍ ସୁବ୍ରମଣ୍ୟମ କହିଥିଲେ, ଦେଶର ଅଧିକାଂଶ ଜିଡିପି ସହର ଅଞ୍ଚଳରୁ ଆସୁଥିବାରୁ ସହରକେନ୍ଦ୍ରିକ ଯୋଜନା ଦୀର୍ଘମିଆଦିନରେ ଉପକାରୀ ହେବ।