ନୂଆଦିଲ୍ଲୀ: ଆଜିଠାରୁ ଠିକ୍‌ ୨୬ ବର୍ଷ ପୂର୍ବେ, ୧୯୯୯ ଡିସେମ୍ବର ୨୪ ତାରିଖରେ, ଭାରତର ନାଗରିକ ବିମାନ ଚଳାଚଳ ଇତିହାସର ସବୁଠାରୁ ଭୟାବହ ଘଟଣା ଘଟିଥିଲା। ଅପରାହ୍ଣ ପ୍ରାୟ ୪ଟା ସମୟରେ କାଠମାଣ୍ଡୁରୁ ଦିଲ୍ଲୀ ଯାଉଥିବା ଇଣ୍ଡିଆନ ଏୟାରଲାଇନ୍ସର IC-814 ବିମାନ ଉଡ଼ାଣ ଭରିଥିଲା। ବିମାନରେ ୧୫ ଜଣ କ୍ରୁ ସଦସ୍ୟ ସହ ୧୭୬ ଜଣ ଯାତ୍ରୀ ଥିଲେ। କିନ୍ତୁ ଉଡ଼ାଣ ଭରିବାର ଘଣ୍ଟାଏ ମଧ୍ୟରେ ଯାତ୍ରୀମାନଙ୍କ ଜୀବନ ନରକ ସମାନ ହୋଇଯିବ ବୋଲି କେହି କଳ୍ପନା କରିନଥିଲେ।

ଉଡ଼ାଣ ପରେ କିଛି ସମୟ ମଧ୍ୟରେ ୫ ଜଣ ସସ୍ତ୍ରଧାରୀ ଆତଙ୍କବାଦୀ ବିମାନକୁ କାବୁ କରିନେଇଥିଲେ। ହାଇଜାକ୍‌ ପରେ ବିମାନଟିକୁ ପ୍ରଥମେ ଅମୃତସର, ପରେ ଲାହୋର ଓ ଦୁବାଇ ହୋଇ ଶେଷରେ ତାଲିବାନ ନିୟନ୍ତ୍ରଣାଧୀନ ଆଫଗାନିସ୍ତାନର କାନ୍ଦାହାରକୁ ନେଇଯାଇଥିଲେ। ସେଠାରେ ଆଠ ଦିନ ଧରି ଚାଲିଥିଲା ଭୟଙ୍କର ଅପହରଣ ଓ ଆଲୋଚନା ପର୍ବ।

ଆତଙ୍କବାଦୀମାନେ ଭାରତୀୟ ଜେଲରେ ବନ୍ଦୀ ଥିବା ତିନି ଜଣ କୁଖ୍ୟାତ ଆତଙ୍କବାଦୀ—ମସୁଦ ଆଝାର, ଅହମ୍ମଦ ଓମର ସଏଦ ଶେଖ ଓ ମୁସ୍ତାକ ଅହମ୍ମଦ ଜରଗରଙ୍କୁ ମୁକ୍ତ କରିବାକୁ ଦାବି ରଖିଥିଲେ। ଦୀର୍ଘ ଆଠ ଦିନର କଠିନ ଆଲୋଚନା ପରେ, ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି ଦାବିକୁ ମାନିବାକୁ ବାଧ୍ୟ ହୋଇଥିଲେ। ଏହି ସମୟରେ ଆତଙ୍କବାଦୀମାନେ ରୁପିନ କତ୍ୟାଲ ନାମକ ଜଣେ ଯାତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ, ଯାହା ସମଗ୍ର ଦେଶକୁ ହଲାଇ ଦେଇଥିଲା।

IC-814 ହାଇଜାକ୍‌ ଘଟଣା ପରେ ଭାରତ–ପାକିସ୍ତାନ ସମ୍ପର୍କ ଆହୁରି ତିକ୍ତ ହୋଇଯାଇଥିଲା। ଏହି ଘଟଣା ପରେ ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନର ଉଦୟ ହୋଇଥିବା ମନାଯାଏ। ତଦନ୍ତରେ ପ୍ରକାଶ ପାଇଥିଲା ଯେ ମୋଟ ୭ ଜଣ ଆତଙ୍କୀ ଏହି ହାଇଜାକ୍‌ ସହିତ ସଂପୃକ୍ତ ଥିଲେ ଏବଂ ସମସ୍ତେ ପାକିସ୍ତାନୀ ନାଗରିକ। ସେମାନେ ଭିନ୍ନ-ଭିନ୍ନ ‘କୋଡ୍‌ ନେମ୍‌’ ବ୍ୟବହାର କରୁଥିଲେ। ଏହି ଅପହରଣର ପ୍ରଧାନ ମାଷ୍ଟରମାଇଣ୍ଡ ଥିଲେ ମସୁଦ ଆଝାରଙ୍କ ଭାଇ ଅବଦୁଲ ରଉଫ ଆଝାର ଓ ମହମ୍ମଦ ୟୁସୁଫ ଆଝାର।

ପରବର୍ତ୍ତୀ ସମୟରେ ଭାରତୀୟ ସୁରକ୍ଷା ବାହିନୀ ବିଭିନ୍ନ ଅଭିଯାନରେ ଏହି ହାଇଜାକ୍‌ ସହ ସଂପୃକ୍ତ ୭ ଜଣ ଆତଙ୍କୀଙ୍କ ମଧ୍ୟରୁ ୪ ଜଣଙ୍କୁ ନିପାତ କରିଛି। ତଥାପି କିଛି ଆତଙ୍କୀ ଏଯାବତ୍‌ ଜୀବିତ ଥିବା ଆଶଙ୍କା ରହିଛି। ମସୁଦ ଆଝାରଙ୍କ ମୃତ୍ୟୁ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ପ୍ରମାଣ ମିଳିନି।

IC-814 କାନ୍ଦାହାର ହାଇଜାକ୍‌ ଘଟଣା କେବଳ ଏକ ଅପହରଣ ଘଟଣା ନୁହେଁ, ବରଂ ଭାରତର ସୁରକ୍ଷା ବ୍ୟବସ୍ଥା ଓ ଆତଙ୍କବାଦ ବିରୋଧୀ ନୀତିକୁ ନୂଆ ଦିଗ ଦେଇଥିବା ଏକ ଦୁଃଖଦ ଅଧ୍ୟାୟ। ୨୬ ବର୍ଷ ପରେ ମଧ୍ୟ, ସେହି ଘଟଣା ପ୍ରତ୍ୟେକ ଭାରତୀୟଙ୍କ ମନରେ ବେଦନା ଓ ଆକ୍ରୋଶ ଜଗାଇ ରଖିଛି।