ଭୁବନେଶ୍ୱର: ଓଡ଼ିଶା ଓ ଦକ୍ଷିଣ-ପୂର୍ବ ଏସିଆର ରାଷ୍ଟ୍ରମାନଙ୍କ ସାମାଜିକ, ସାଂସ୍କୃତିକ ଓ ସଭ୍ୟତାଗତ ସମ୍ପର୍କ ଉପରେ ଆଲୋଚନା କରିବାକୁ ଏକ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେବ। ଏହି ସମ୍ମିଳନୀ ମେ ୨୪ ଓ ୨୫ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ।

“କଳିଙ୍ଗ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରର ସଭ୍ୟତାଗତ ସଂଯୋଗ” ଶୀର୍ଷକ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଇନଷ୍ଟିଚ୍ଯୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଭାରତ ସରକାରଙ୍କ ସହଯୋଗରେ ହେଉଛି।

ଏହି ସମ୍ମିଳନୀରେ ଓଡ଼ିଶା, ଭାରତ ଓ ଦକ୍ଷିଣ-ପୂର୍ବ ଏସିଆର ଶିକ୍ଷାବିଦ୍‌, ସାହିତ୍ୟିକ, ଗବେଷକ ଓ ସଂସ୍କୃତିବିଦ୍‌ମାନେ ଯୋଗଦେଇ ସଭ୍ୟତାଗତ ଓ ସାଂସ୍କୃତିକ ବିନିମୟ ଉପରେ ଆଲୋଚନା କରିବେ।

ସମ୍ମିଳନୀର ଏକ ବିଶେଷ ଆକର୍ଷଣ ରୂପେ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଐତିହ୍ୟ ଉପରେ ସ୍ୱତନ୍ତ୍ର ଅଧିବେଶନ ହେବ, ଯାହା ଯୁବପିଢ଼ିଙ୍କୁ ଓଡ଼ିଆ ବାଣିଜ୍ୟ ପରମ୍ପରା ବିଷୟରେ ଅବଗତ କରିବା ଉଦ୍ଦେଶ୍ୟରେ ଆୟୋଜିତ।

ଓଡ଼ିଆ ସାଧବମାନେ ପ୍ରାଚୀନକାଳରୁ ଜାଭା, ସୁମାତ୍ରା ଓ ଇଣ୍ଡୋନେସିଆ ପର୍ଯ୍ୟନ୍ତ ବାଣିଜ୍ୟ କରୁଥିବା ଐତିହ୍ୟକୁ ଉଦ୍ଧାର କରିବା ସହ, ମୟୁରଭଞ୍ଜ ଛଉ ଓ ବାଲିର ବାରୋଙ୍ଗ ନୃତ୍ୟ, ଧାରୁଆ ଜନଜାତିର ବିର୍ଲି ନୃତ୍ୟ ଓ ଇଣ୍ଡୋନେସିଆର ଗାବା-ଗାବା ନୃତ୍ୟ ଭଳି ଅନେକ ଉଦାହରଣ ମାଧ୍ୟମରେ ଓଡ଼ିଶା ଓ ଏସିଆନ୍‌ ଦେଶମାନଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଉଜାଗର କରାଯିବ।

ଏହି ଅନ୍ତର୍ଜାତୀୟ ଆୟୋଜନ ମାଧ୍ୟମରେ ଓଡ଼ିଶା ଏକ ଆନ୍ତର୍ଜାତୀୟ ସାଂସ୍କୃତିକ ସେତୁ ଭାବେ ପରିଚିତ ହେବ ବୋଲି ଆଶା ବ୍ୟକ୍ତ କରାଯାଇଛି।