ୱାଶିଂଟନ, ୪।୧: ଭେନେଜୁଏଲା ଘଟଣାକୁ ନେଇ ଲାଟିନ୍ ଆମେରିକାରେ ଉତ୍ତେଜନା ଚରମ ସୀମାକୁ ପହଞ୍ଚିଥିବାବେଳେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କୁ ଖୋଲାମେଲା ଭାବେ ସତର୍କ କରିଛନ୍ତି। ଭେନେଜୁଏଲାରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ପରେ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଥିବା ଦାବି ମଧ୍ୟ ଏହି ଅଞ୍ଚଳରେ ରାଜନୈତିକ ଅସ୍ଥିରତା ବଢ଼ାଇଛି।

ଏହି ପରିପ୍ରେକ୍ଷିତରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାରେ ଟ୍ରମ୍ପ କଲମ୍ବିଆ ରାଷ୍ଟ୍ରପତି ପେଟ୍ରୋଙ୍କୁ ନିଶା କାରବାର ସହ ଯୋଡ଼ି ଗୁରୁତର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ କଲମ୍ବିଆରୁ କୋକେନ ଉତ୍ପାଦନ ହୋଇ ଆମେରିକାକୁ ପଠାଯାଉଛି ଏବଂ ଏନେଇ ପେଟ୍ରୋଙ୍କୁ ସତର୍କ ରହିବା ଦରକାର।

ଅନ୍ୟପଟେ, ଗୁସ୍ତାଭୋ ପେଟ୍ରୋ ଭେନେଜୁଏଲା ଘଟଣାକୁ ଉଲ୍ଲେଖ କରି ଆମେରିକାର କାର୍ଯ୍ୟକୁ “ଲାଟିନ୍ ଆମେରିକାର ସାର୍ବଭୌମତ୍ୱ ଉପରେ ଆକ୍ରମଣ” ବୋଲି ବର୍ଣ୍ଣନା କରିଛନ୍ତି। ଏହା ଦ୍ୱାରା ଅଞ୍ଚଳରେ ଏକ ଗୁରୁତର ମାନବିକ ସଙ୍କଟ ସୃଷ୍ଟି ହେବ ବୋଲି ସେ ସତର୍କ କରିଛନ୍ତି।

ଟ୍ରମ୍ପଙ୍କ ନିଶା ବିରୋଧୀ ରଣନୀତିର ଅଂଶ ଭାବରେ କାରିବିଆନ୍ ଅଞ୍ଚଳରେ ସାମରିକ ନିୟୋଜନକୁ ନେଇ ପେଟ୍ରୋ ପୂର୍ବରୁ ମଧ୍ୟ କଠୋର ସମାଲୋଚନା କରିଆସୁଛନ୍ତି। ଆମେରିକା ପକ୍ଷରୁ କଲମ୍ବିଆରେ ନିଶା ଉତ୍ପାଦନ କେନ୍ଦ୍ର ଉପରେ ଆକ୍ରମଣ ସମ୍ଭାବନାକୁ ଅସ୍ବୀକାର ନ କରିବା ଟ୍ରମ୍ପଙ୍କ ବିବୃତ୍ତିକୁ ପେଟ୍ରୋ ସିଧାସଳଖ ଧମକ ବୋଲି ନିନ୍ଦା କରିଛନ୍ତି।

ଭେନେଜୁଏଲା ଘଟଣା ପରେ ଟ୍ରମ୍ପ କହିଛନ୍ତି ଯେ ଆମେରିକା ଆବଶ୍ୟକ ପଡ଼ିଲେ ଅଧିକ କଠୋର ସାମରିକ ପଦକ୍ଷେପ ନେବାକୁ ପଛୁଆହଟ କରିବ ନାହିଁ। ସେ ଦାବି କରିଛନ୍ତି ଯେ ପଶ୍ଚିମ ଗୋଲାର୍ଦ୍ଧରେ ଆମେରିକାର ପ୍ରଭୁତ୍ୱ ଅଟୁଟ ରହିବ ଏବଂ ଅଞ୍ଚଳରେ ସୁରକ୍ଷା, ସ୍ଥିରତା ଓ ଶକ୍ତି ସୁନିଶ୍ଚିତ କରିବା ହିଁ ଆମେରିକାର ମୂଳ ଲକ୍ଷ୍ୟ।