ଅବୁଜା, ୪।୧: ନାଇଜେରିଆର ଉତ୍ତର ଅଞ୍ଚଳରେ ଏକ ଗାଁକୁ ବନ୍ଧୁକଧାରୀମାନେ ଟାର୍ଗେଟ କରି ଭୟାବହ ଆକ୍ରମଣ କରିଛନ୍ତି। ଏହି ଗୁଳିମାଡ଼ ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଛି। ଗତ କିଛି ଦିନ ମଧ୍ୟରେ ଉତ୍ତର ନାଇଜେରିଆରେ ଏହା ଦ୍ୱିତୀୟ ଏପରି ରକ୍ତକ୍ତ ଆକ୍ରମଣ ବୋଲି ଜଣାପଡ଼ିଛି।
ଏହି ଆକ୍ରମଣକୁ ନେଇ ସ୍ଥାନୀୟ କ୍ୟାଥୋଲିକ ଚର୍ଚ୍ଚ ଗଭୀର ଚିନ୍ତା ପ୍ରକାଶ କରିଛି। ଚର୍ଚ୍ଚ ପକ୍ଷରୁ ଦାବି କରାଯାଇଛି ଯେ, ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୪୦କୁ ଅତିକ୍ରମ କରିପାରେ। ଅପହୃତ ଲୋକମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଖବର ମଧ୍ୟ ମିଳିଛି, ଯାହା ଘଟଣାକୁ ଆହୁରି ମର୍ମାନ୍ତିକ କରିଛି।
ନାଇଜେରିଆରେ ବନ୍ଧୁକଧାରୀ ଗୋଷ୍ଠୀମାନଙ୍କ ଦ୍ୱାରା ଏଭଳି ହିଂସା ଓ ଅପହରଣ ଘଟଣା କୌଣସି ନୂଆ କଥା ନୁହେଁ। କିଛି ମାସ ପୂର୍ବରୁ ମଧ୍ୟ ଏକ ସମାନ ଆକ୍ରମଣରେ ୨୦୦ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ଅପହରଣ କରାଯାଇଥିଲା, ଯାହା ସାରା ଦେଶକୁ ଆତଙ୍କିତ କରିଥିଲା।
ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ସହ ଦୋଷୀମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷା ବଳ ତଦନ୍ତ ଜୋରଦାର କରିଛନ୍ତି।





