ଓ୍ବାସିଂଟନ: ଆମେରିକୀୟ କଂଜରଭେଟିଭ୍ କର୍ମୀ ଓ ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କ ହତ୍ୟାକାଣ୍ଡରେ ଏକ ବଡ଼ ପରିଣତି ଆସିଛି। ଟ୍ରମ୍ପ ଶୁକ୍ରବାର ଘୋଷଣା କରିଛନ୍ତି ଯେ ହତ୍ୟାର ସନ୍ଦିଗ୍ଧକୁ ପୁଲିସ ଗିରଫ କରିଛି। ସେ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଧରିବାରେ ତାଙ୍କର ଜଣେ ନିକଟତମ ବ୍ୟକ୍ତି ପୁଲିସକୁ ମହତ୍ତ୍ୱପୂର୍ଣ୍ଣ ସୂଚନା ଯୋଗାଇଥିଲେ।
ଫକ୍ସ ନ୍ୟୁଜ୍ ସହିତ କଥାହେଉଥିବାବେଳେ ଟ୍ରମ୍ପ କହିଥିଲେ, “ମୁଁ ବହୁତ ଆଶାବାଦୀ ଯେ ଆମେ ସଠିକ୍ ଅଭିଯୁକ୍ତକୁ ଧରିଛୁ। ସେ ବର୍ତ୍ତମାନ ହେପାଜତରେ ଅଛି ଏବଂ ଆମେ ଭାବୁଛୁ, ଯାହାକୁ ଖୋଜୁଥିଲୁ ସେଇ ବ୍ୟକ୍ତିକୁ ଧରିଛୁ।”
ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଚାର୍ଲି କିର୍କ ହତ୍ୟାର ସନ୍ଦିଗ୍ଧଙ୍କୁ ଟାଇଲର ରବିନସନ ଭାବେ ଚିହ୍ନଟ କରାଯାଇଛି।
ଗତ ବୁଧବାର ଏକ କାର୍ଯ୍ୟକ୍ରମ ସମୟରେ କିର୍କଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହିପରେ ଏଫବିଆଇ ଘଟଣାରେ ବ୍ୟବହୃତ ଅସ୍ତ୍ର ଜବତ କରିଥିଲା ଏବଂ ସନ୍ଦିଗ୍ଧଙ୍କ ଏକ ଫଟୋ ପ୍ରକାଶ କରିଥିଲା।