ନୂଆଦିଲ୍ଲୀ (୧୮ ଜୁଲାଇ): ଭାରତ ଯେତେ ଚେଷ୍ଟା କରୁଥିବା ସତ୍ତ୍ୱେ ଚୀନ୍ ସହିତ ସମ୍ପର୍କ ଉନ୍ନତ କରିବାର ଆଗକୁ ଯାଇପାରୁନାହିଁ। ଧୋକାଦେଉଥିବା ଚୀନ୍ ଏବେ ଭାରତର ବୃଦ୍ଧି ଯାତ୍ରାକୁ ବାଧା ଦେବାର ଏକ ନୂଆ ଚାଲ୍ ଚାଲିଛି। ଶିଳ୍ପ ସଂଗଠନ India Cellular and Electronics Association (ICEA) ଅନୁସାରେ, ଚୀନ୍ ଏହି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସ ଉପକରଣର ରପ୍ତାନି ବନ୍ଦ କରିଦେଇଛି, ଯାହା ଦେଶର ସ୍ମାର୍ଟଫୋନ୍ ଉତ୍ପାଦନକୁ ଗଭୀର ଭାବେ ପ୍ରଭାବିତ କରିଛି।
ଏହି ପ୍ରତିବନ୍ଧକ ଯୋଗୁଁ ଦେଶର 2.75 ଲକ୍ଷ କୋଟି ଟଙ୍କା ମୂଲ୍ୟର ଉତ୍ପାଦନ ବିପଦରେ ପଡ଼ିଛି। ICEA ସରକାରଙ୍କୁ ନିବେଦନ କରିଛି ଯେ, ଏହି ଅବସ୍ଥାରେ ତୁରନ୍ତ ହସ୍ତକ୍ଷେପ ଅତ୍ୟାବଶ୍ୟକ, ଯାହା ଦ୍ବାରା ଭାବି ବିପଦକୁ ଏଡାଯାଇପାରିବ।
ଚୀନ୍ ତାଙ୍କର ଏହି ପଦକ୍ଷେପ ମାଧ୍ୟମରେ ଭାରତର ୟାନ୍ତ୍ରିକ ଯୋଗାଣ ଶୃଙ୍ଖଳାକୁ ଅସ୍ଥିର କରିବା ଓ ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର ଭାବରେ ବିକଶିତ ହେବାରୁ ବାଞ୍ଚିବା ଉଦ୍ଦେଶ୍ୟ ରଖିଛି। ଏହା ଫଳରେ ଉତ୍ପାଦନ ଖର୍ଚ୍ଚ ବଢ଼ୁଛି ଓ ରପ୍ତାନି ମାର୍କେଟରେ ଭାରତର ପ୍ରତିଷ୍ଠା ପ୍ରଭାବିତ ହେବାର ଆଶଙ୍କା ରହିଛି।
ପ୍ରତିବେଦନ ଅନୁସାରେ, 2020 ପରେ ଭାରତରେ ସ୍ମାର୍ଟଫୋନ୍ ଉତ୍ପାଦନରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି ହୋଇଛି। 2024-25 ଆର୍ଥିକ ବର୍ଷରେ ଦେଶ 64 ବିଲିୟନ ଡଲାର ମୂଲ୍ୟର ସ୍ମାର୍ଟଫୋନ୍ ଉତ୍ପାଦନ କରିଥିଲା, ଯାହାରୁ 24.1 ବିଲିୟନ ଡଲାର ରପ୍ତାନି କରାଯାଇଥିଲା। 2015 ରେ ଭାରତ 167ତମ ସ୍ଥାନରେ ଥିଲା, କିନ୍ତୁ ବର୍ତ୍ତମାନ ଦେଶ ଏକ ପ୍ରମୁଖ ରପ୍ତାନିକାରୀ ରୂପେ ଉଭୟାସିଛି। ଆଗାମୀ 2026 ସୁଦ୍ଧା ଏହି ରପ୍ତାନି 32 ବିଲିୟନ ଡଲାରକୁ ପହଞ୍ଚିବ ବୋଲି ଅନୁମାନ କରାଯାଇଛି।





