ଇସଲାମାବାଦ/କାବୁଲ, ୧୭ ଅକ୍ଟୋବର: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲୁଥିବା ସଂଘର୍ଷ ପୁଣି ଭୟାନକ ରୂପ ନେଇଛି। ପାକିସ୍ତାନ ବାୟୁସେନା ଶୁକ୍ରବାର ରାତିରେ ଆଫଗାନ ଭୂମି ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛି। ଦୁଇ ଦେଶ ମଧ୍ୟରେ ୪୮ ଘଣ୍ଟିଆ ଅସ୍ତ୍ରବିରତି ବୃଦ୍ଧି ପାଇଁ ସହମତି ହେବାର କିଛି ଘଣ୍ଟା ପରେ ହିଁ ପାକିସ୍ତାନ ସେନା ତାହାର ରଣନୀତି ବଦଳାଇ ଡୁରାଣ୍ଡ ଲାଇନ୍ ନିକଟରେ ଏୟାର ଆକ୍ରମଣ ଚାଲାଇଲା। ଏହି ଆକ୍ରମଣରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଛି, ଯାହା ମଧ୍ୟରେ ତିନିଜଣ ଆଫଗାନିସ୍ତାନ କ୍ରିକେଟର ମଧ୍ୟ ଅଛନ୍ତି।
ପାକିସ୍ତାନର ଏଭଳି ଧୋକାକୁ ଆଫଗାନିସ୍ତାନ ଭାରି ନିନ୍ଦା କରିଛି। ଏହି ପରିସ୍ଥିତି ଉପରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ଦେଇ କହିଛନ୍ତି, “ଯଦି ମୋତେ ଏହି ଯୁଦ୍ଧ ସମାଧାନ କରିବାକୁ ହେଉଥାନ୍ତା, ତେବେ ଏହା ମୋ ପାଇଁ ଅତ୍ୟନ୍ତ ସହଜ ହେଉଥାନ୍ତା। ମୁଁ ଯୁଦ୍ଧ ଶେଷ କରିବାକୁ ପସନ୍ଦ କରେ, କାରଣ ମୁଁ ଲୋକମାନଙ୍କ ଜୀବନ ବଞ୍ଚାଇବାରେ ବିଶ୍ୱାସ କରେ। ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଛି ମୁଁ ଏବଂ ଭବିଷ୍ୟତରେ ଏହି ଯୁଦ୍ଧ ମଧ୍ୟ ଶେଷ କରିପାରିବି ବୋଲି ଆଶା ରଖେ।”
ପାକଟିକା ପ୍ରଦେଶରେ ପାକିସ୍ତାନର ଏୟାର୍ ଷ୍ଟ୍ରାଇକ୍ ଫଳରେ ତିନି ଆଫଗାନ କ୍ରିକେଟରଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣ ପରେ ତାଲିବାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଅସ୍ତ୍ରବିରତି ଶେଷ ହୋଇଛି ଏବଂ ପାକିସ୍ତାନ ପ୍ରଥମେ ଏହା ଉଲ୍ଲଂଘନ କରିଥିବାରୁ ଆଫଗାନିସ୍ତାନ ଏବେ ଦୃଢ଼ ପ୍ରତିକ୍ରିୟା ଦେବ।
ଏହି ଆକ୍ରମଣରେ ଅରଗୁନ୍ ଓ ବର୍ମାଲ ଜିଲ୍ଲାର ଅନେକ ଘର ଧ୍ଵଂସ ହୋଇଛି। ପରିସ୍ଥିତିକୁ ଦେଖି ତାଲିବାନ ପ୍ରଶାସନ ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟରେ ରହିବାକୁ ପରାମର୍ଶ ଦେଇଛି। ଏପରିକି, ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ବଢୁଥିବା ଉତ୍ତେଜନା କମେଇବା ପାଇଁ କତାରର ରାଜଧାନୀ ଦୋହାରେ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି।