ଲଣ୍ଡନ: ଏକଦା ଭାରତର ଇତିହାସକୁ ପ୍ରଭାବିତ କରିଥିବା ଇଷ୍ଟ୍ ଇଣ୍ଡିଆ କମ୍ପାନି ପୁଣିଥରେ ବନ୍ଦ ହୋଇଯାଇଛି। ୧୮୫୭ର ସିପାହୀ ବିଦ୍ରୋହ ପରେ ପ୍ରଥମେ କମ୍ପାନିର କାର୍ଯ୍ୟକଳାପ ସମାପ୍ତ ହୋଇଥିବାବେଳେ, ପ୍ରାୟ ୧୬୦ ବର୍ଷ ପରେ ପୁନରୁଦ୍ଧାର ହୋଇଥିବା ସଂସ୍ଥା ଏବେ ପୁଣି ତାଲାବନ୍ଦ ହୋଇଛି।
ଭାରତୀୟ ମୂଳର ଉଦ୍ୟୋଗପତି ସଞ୍ଜୀବ ମେହେଟ୍ଟା କିଛି ଅଂଶୀଦାରଙ୍କଠାରୁ କମ୍ପାନିକୁ କ୍ରୟ କରି ୨୦୧୦ ମସିହାରେ ଲଣ୍ଡନରେ ଏହାକୁ ଏକ ବିଳାସପୂର୍ଣ୍ଣ ଖାଦ୍ୟ ଓ ପାନୀୟ ବ୍ରାଣ୍ଡ୍ ଭାବେ ପୁନର୍ନିର୍ମାଣ କରିଥିଲେ। କମ୍ପାନି ଷ୍ଟୋରଗୁଡ଼ିକରେ ଚା, ଚକୋଲେଟ୍ ଓ ଅନ୍ୟାନ୍ୟ ପ୍ରିମିୟମ୍ ସାମଗ୍ରୀ ବିକ୍ରି କରାଯାଉଥିଲା। କିନ୍ତୁ ଆଶାଅନୁଯାୟୀ ବଜାରରେ ସଫଳତା ମିଳିନଥିବାରୁ ବ୍ୟବସାୟ ଧୀରେଧୀରେ କ୍ଷତିରେ ପଡ଼ିଥିଲା।
ଗତବର୍ଷ ଅକ୍ଟୋବରରେ କମ୍ପାନିର କାର୍ଯ୍ୟକଳାପ ବନ୍ଦ ପ୍ରକ୍ରିୟା ଆରମ୍ଭ ପାଇଁ ଲିକ୍ବିଡେଟର ନିଯୁକ୍ତ କରାଯାଇଥିଲା। ବ୍ରିଟିଶ ଭର୍ଜିନ୍ ଆଇଲ୍ୟାଣ୍ଡସ୍ରେ ପଞ୍ଜିକୃତ ଏହି ସଂସ୍ଥା ସହ ମେହେଟ୍ଟାଙ୍କ ଅନ୍ୟାନ୍ୟ ବ୍ୟବସାୟ ମଧ୍ୟ ବନ୍ଦ ହୋଇଥିବା ସୂଚନା ମିଳିଛି।
ଇତିହାସ ଦୃଷ୍ଟିରୁ ଇଷ୍ଟ୍ ଇଣ୍ଡିଆ କମ୍ପାନି ଭାରତରେ ବ୍ରିଟିଶ ଶାସନର ପ୍ରମୁଖ ଭିତିସ୍ଥମ୍ଭ ଥିଲା। ବ୍ୟବସାୟ ନାମରେ ଭାରତକୁ ପ୍ରବେଶ କରି ପରବର୍ତ୍ତୀ ସମୟରେ ଏହା ରାଜନୈତିକ ଓ ସାମରିକ ନିୟନ୍ତ୍ରଣ ସ୍ଥାପନ କରିଥିଲା। ଉନବିଂଶ ଶତାବ୍ଦୀରେ କମ୍ପାନିର ନିଜସ୍ୱ ବହୁ ସଂଖ୍ୟକ ସେନା ଥିବା ସହ ଭାରତୀୟଙ୍କ ଶୋଷଣ ଓ ନିର୍ଯ୍ୟାତନା ସହ ଏହାର ନାମ ଜଡିତ ରହିଛି।
ଦେଢ଼ ଶତାବ୍ଦୀ ପରେ କମ୍ପାନିକୁ ପୁନର୍ଜୀବନ ଦେବାର ଉଦ୍ୟମ କରାଯାଇଥିଲେ ମଧ୍ୟ, ବ୍ୟବସାୟିକ ସଫଳତା ନମିଳିବାରୁ ଏହା ପୁଣିଥରେ ଇତିହାସର ଅଂଶ ହୋଇରହିଗଲା। ବର୍ତ୍ତମାନ ପରିସ୍ଥିତିରେ କମ୍ପାନି ପୁନର୍ବାର ଚାଲୁ ହେବାର ସମ୍ଭାବନା ନାହିଁ ବୋଲି ଜଣାପଡ଼ିଛି।





