ଲଣ୍ଡନ: ଶନିବାର ଲଣ୍ଡନର ହିଥ୍ରୋ, ବ୍ରସେଲ୍ସ, ବର୍ଲିନ ସହ ବହୁ ୟୁରୋପୀୟ ବିମାନବନ୍ଦର ସାଇବର ଆକ୍ରମଣରେ ବିପର୍ୟସ୍ତ ହୋଇପଡ଼ିଛି। କଲିନ୍ସ ଏୟାରସ୍ପେସ ନାମକ କମ୍ପାନିର ସିଷ୍ଟମ ଟାର୍ଗେଟ୍ ହେବାରୁ ଚେକ୍-ଇନ୍ ଓ ବୋର୍ଡିଂ ପ୍ରକ୍ରିୟା ବିଚ୍ଛିନ୍ନ ହୋଇଛି।

ଏହାର ପ୍ରଭାବରେ ଶତାଧିକ ବିମାନ ବାତିଲ, ଅନେକ ଉଡାଣ ବିଳମ୍ବିତ ହୋଇଛି ଏବଂ ହଜାର ଯାତ୍ରୀ ଫସି ପଡ଼ିଛନ୍ତି। ବ୍ରସେଲ୍ସ ବିମାନବନ୍ଦର ସୂଚନା ଦେଇଛି ଯେ, ଆକ୍ରମଣ ପରେ ମାନୁଆଲ୍ ଚେକ୍-ଇନ୍ ପ୍ରକ୍ରିୟା ଜାରି ରହିଛି। ବର୍ଲିନ ବ୍ରାଣ୍ଡେନବର୍ଗ ବିମାନବନ୍ଦରରେ ମଧ୍ୟ ଯାତ୍ରୀ ପରିଚାଳନା ସିଷ୍ଟମ ପ୍ରଭାବିତ ହୋଇଥିବା କଥା ଅଧିକାରୀମାନେ ନିଶ୍ଚିତ କରିଛନ୍ତି।

ହିଥ୍ରୋ ପକ୍ଷରୁ ଏହାକୁ “ଯାନ୍ତ୍ରିକ ସମସ୍ୟା” ବୋଲି ବର୍ଣ୍ଣନା କରାଯାଇଥିବାବେଳେ, ପ୍ୟାରିସର ପ୍ରମୁଖ ବିମାନବନ୍ଦରଗୁଡ଼ିକ—ରୋଇସି, ଅର୍ଲି ଏବଂ ଲେ ବର୍ଗେଟ୍—ରେ କୌଣସି ପ୍ରଭାବ ପଡ଼ିନାହିଁ ବୋଲି ଫ୍ରାନ୍ସ ସରକାର ସ୍ପଷ୍ଟ କରିଛି।

ଏହି ଆକ୍ରମଣ ଆମେରିକୀୟ କମ୍ପାନି କଲିନ୍ସ ଏରୋସ୍ପେସ (RTX କର୍ପୋରେସନର ସହାୟକ)ର MUSE ସଫ୍ଟୱେର୍ ଉପରେ କରାଯାଇଛି। କମ୍ପାନି କହିଛି, ସମସ୍ୟା ପ୍ରଧାନତଃ ଇଲେକ୍ଟ୍ରୋନିକ୍ ଚେକ୍-ଇନ୍ ଏବଂ ବ୍ୟାଗେଜ୍ ସଂଗ୍ରହ ସିଷ୍ଟମକୁ ପ୍ରଭାବିତ କରିଛି। ତଥାପି, ମାନୁଆଲ୍ ପ୍ରକ୍ରିୟା ମାଧ୍ୟମରେ ଏହାକୁ ଅଟକାଇବାରେ ଉଦ୍ୟମ ଚାଲିଛି।