ତେହେରାନ, ୩୧।୧: ଇରାନର ବନ୍ଦର ଆବ୍ବାସ ସହରରେ ଶନିବାର ଘଟିଥିବା ଭୟାବହ ବିସ୍ଫୋରଣରେ କମ୍ ସେ କମ୍ ୪ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

ପ୍ରାଥମିକ ସୂଚନା ଅନୁସାରେ, ହୋର୍ମୋଜଗନ ପ୍ରଦେଶର ଆଜାଦଗାନ ଅଞ୍ଚଳରେ ଥିବା ଏକ ୮ ମହଲା ବିଶିଷ୍ଟ ଆବାସିକ ଭବନରେ ଗ୍ୟାସ ଲିକ୍ ହେତୁ ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣର ଶବ୍ଦ ଦୂରଦୂରନ୍ତ ପର୍ଯ୍ୟନ୍ତ ଶୁଣାଯାଇଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

ଘଟଣା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ ଅନୁମାନ ଚାଲିଥିବା ବେଳେ, ସ୍ଥାନୀୟ ପ୍ରଶାସନ ଏହାକୁ ଗ୍ୟାସ ଲିକ୍ ଜନିତ ଦୁର୍ଘଟଣା ବୋଲି ସ୍ପଷ୍ଟ କରିଛି। ବିସ୍ଫୋରଣରେ ଭବନର ଦୁଇଟି ମହଲା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।

ଏହା ସହିତ ଧ୍ୱଂସାବଶେଷ ତଳେ ଆହୁରି କିଛି ଲୋକ ଅଟକି ରହିଥିବା ସନ୍ଦେହ ରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।