ନୂଆଦିଲ୍ଲୀ: ରୁଷିଆ ଓ ନାଟୋ ଦେଶମାନଙ୍କ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ୟୁରୋପରେ ଏକ ବଡ଼ ଯୁଦ୍ଧ ସମ୍ଭାବନା ବଳିୟାନ ହୋଇଛି। ଏହି ପରିସ୍ଥିତିରେ, ଫ୍ରାନ୍ସ ସରକାର ଦେଶର ସମସ୍ତ ହସ୍ପିଟାଲକୁ ୨୦୨୬ ମାର୍ଚ୍ଚ ମଧ୍ୟରେ ବିରାଟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛି।
ରିପୋର୍ଟ ଅନୁସାରେ, ୧୮ ଜୁଲାଇରେ ଜାରି ହୋଇଥିବା ବିଜ୍ଞପ୍ତିରେ ଦେଶୀୟ ଏବଂ ବିଦେଶୀ ସୈନିକମାନଙ୍କୁ ଚିକିତ୍ସା ସୁବିଧା ପ୍ରଦାନ ପାଇଁ ଅଗ୍ରିମ ପ୍ରସ୍ତୁତି କରିବାକୁ କୁହାଯାଇଛି। ‘ଲେ କାନାର୍ଡ ଏନଚେନେ’ ସମ୍ବାଦପତ୍ର ଅନୁଯାୟୀ, ଆଗାମୀ ୧୦ରୁ ୧୮୦ ଦିନ ମଧ୍ୟରେ ହଜାରେ ହଜାର ସୈନିକଙ୍କ ଚିକିତ୍ସାକୁ ସମ୍ଭାଳିବା ପାଇଁ ହସ୍ପିଟାଲମାନଙ୍କୁ ପ୍ରସ୍ତୁତି ନେବାକୁ କୁହାଯାଇଛି।
ସେଥିପାଇଁ ବିଦେଶୀ ସୈନିକମାନଙ୍କୁ ସେମାନଙ୍କ ଦେଶକୁ ଫେରାଇବା ପୂର୍ବରୁ ବସ୍, ଟ୍ରେନ୍, ବିମାନବନ୍ଦର ଓ ବନ୍ଦର ନିକଟରେ ଅସ୍ଥାୟୀ ମେଡିକାଲ ସେଣ୍ଟର ଖୋଲିବା ଯୋଜନା ମଧ୍ୟ ରହିଛି।
ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ କ୍ୟାଥେରିନ ଭଟ୍ରିନ କହିଛନ୍ତି— “ସଙ୍କଟର ପୂର୍ବାନୁମାନ କରି ପ୍ରସ୍ତୁତ ହେବା ସ୍ୱାଭାବିକ। କୋଭିଡ-୧୯ ସମୟରେ ଦେଶ କେତେ ଅପ୍ରସ୍ତୁତ ଥିଲା, ଆମେ ସେଥିରୁ ଶିଖିଛୁ।”
ଏହାସହିତ, ଫ୍ରାନ୍ସ ସରକାର ୨୦ ପୃଷ୍ଠାର ଏକ “ସର୍ଭାଇଭାଲ ଗାଇଡ୍” ଜାରି କରିଛି, ଯେଉଁଥିରେ ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ ଜରୁରୀ ସ୍ଥିତିରୁ ନାଗରିକଙ୍କୁ ସୁରକ୍ଷା ପ୍ରଦାନ ପାଇଁ ୬୩ଟି ପଦକ୍ଷେପ ଉଲ୍ଲେଖିତ ଅଛି। ଏଥିରେ ଜଳ, କ୍ୟାନ୍ ଖାଦ୍ୟ, ବ୍ୟାଟେରୀ ଓ ପ୍ରାଥମିକ ଚିକିତ୍ସା ସାମଗ୍ରୀ ସାଙ୍ଗରେ ରଖିବାକୁ ପରାମର୍ଶ ଦିଆଯାଇଛି।