ଆଣ୍ଟାନାନାରିଭୋ, ୧୪ ଅକ୍ଟୋବର: ନେପାଳ ପରେ ଏବେ ଆଫ୍ରିକାର ମାଡାଗାସ୍କର ଦେଶରେ Gen-Z ଯୁବ ଆନ୍ଦୋଳନ ତିବ୍ର ରୂପ ନେଇଛି। ପାଣି ଅଭାବ ଏବଂ ସରକାରୀ ଅସଫଳତାକୁ ନେଇ ଦେଶଜୁଡ଼ା ହୋଇଥିବା ପ୍ରତିବାଦ ଆନ୍ଦୋଳନ ପରେ ସରକାର ବିରୋଧରେ ତୀବ୍ର ଅସନ୍ତୋଷ ଦେଖା ଯାଇଛି। ଏହି ଆନ୍ଦୋଳନ ମଧ୍ୟରେ ମାଡାଗାସ୍କରର ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଏଲିନା ଦେଶ ଛାଡି ପଳାଇ ଯାଇଥିବା ସୂଚନା ମିଳିଛି।

ବିରୋଧୀ ଦଳ ନେତା, ସେନା ବାହିନୀ ଏବଂ ବିଦେଶୀ କୂଟନୀତିଜ୍ଞମାନେ ଏହି ସୂଚନାକୁ ନିଶ୍ଚିତ କରିଛନ୍ତି। ଏହା ନେପାଳ ପରେ ଦ୍ୱିତୀୟ ଦେଶ, ଯେଉଁଠି Gen-Z ପ୍ରୋଟେଷ୍ଟରମାନେ ସରକାର ବଦଳେଇବାରେ ସଫଳ ହୋଇଛନ୍ତି।

ବିରୋଧୀ ନେତା ସିତେନି କହିଛନ୍ତି ଯେ, ରବିବାର ଦିନ ସେନାର ଏକ ଅଂଶ Gen-Z ଆନ୍ଦୋଳନକୁ ସମର୍ଥନ କଲା ପରେ ରାଷ୍ଟ୍ରପତି ଆଣ୍ଡ୍ରି ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ। ସିତେନି ଆହୁରି କହିଛନ୍ତି ଯେ, ରାଷ୍ଟ୍ରପତି ଭବନର କର୍ମଚାରୀମାନେ ନିଶ୍ଚିତ କରିଥିଲେ ଯେ ଆଣ୍ଡ୍ରି ନିରବରେ ଦେଶ ଛାଡି ଚାଲିଯାଇଛନ୍ତି।

ସୋମବାର ରାତିରେ ଫେସବୁକ ମାଧ୍ୟମରେ ଜନସାଧାରଣଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ଆଣ୍ଡ୍ରି କହିଥିଲେ ଯେ ସେ ତାଙ୍କ ପତ୍ନୀଙ୍କ ଜୀବନ ସୁରକ୍ଷା ପାଇଁ ଏକ ସୁରକ୍ଷିତ ସ୍ଥାନକୁ ଯାଇଛନ୍ତି। ଯଦିଓ ସେ ନିଜ ସ୍ଥାନ ସନ୍ଦର୍ଭରେ କିଛି କହିନାହାଁନ୍ତି, ସେ କହିଛନ୍ତି ଯେ ମାଡାଗାସ୍କରକୁ ସେ ଧ୍ୱଂସ ହେବାକୁ ଦେବେ ନାହିଁ।

ସୂତ୍ର ଅନୁଯାୟୀ, ଆଣ୍ଡ୍ରି ଏକ ଫରାସୀ ସାମରିକ ବିମାନ ଦ୍ୱାରା ଦେଶ ଛାଡିଛନ୍ତି। ମାଡାଗାସ୍କର ପୂର୍ବରୁ ଫ୍ରାନ୍ସର ଉପନିବେଶ ଥିବାରୁ, ଏହି ଖବରରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। କିନ୍ତୁ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କହିଛନ୍ତି ଯେ ସେ ଏହି ଖବର ବିଷୟରେ ଏପର୍ଯ୍ୟନ୍ତ ଅବହିତ ନୁହନ୍ତି।

ଗତ ୨୫ ସେପ୍ଟେମ୍ବରରେ, ନେପାଳ ଓ କେନିଆରେ Gen-Z ଆନ୍ଦୋଳନ ପରେ, ମାଡାଗାସ୍କରର ଯୁବ ସମାଜ ମଧ୍ୟ ପାଣି ଓ ବିଦ୍ୟୁତ ଅଭାବ ଦେଖାଇ ସରକାର ବିରୋଧରେ ପ୍ରତିବାଦ ଆରମ୍ଭ କରିଥିଲେ। ସେନା ମଧ୍ୟ ଏହି ପ୍ରତିବାଦକୁ ସମର୍ଥନ କରିଥିବାରୁ ରାଷ୍ଟ୍ରପତିଙ୍କ ପଦ ଅସ୍ଥିର ହୋଇଯାଇଥିଲା ଏବଂ ଅବଶେଷରେ ସେ ଦେଶ ଛାଡି ପଳାଇବାକୁ ବାଧ୍ୟ ହୋଇଛନ୍ତି।