ତେହେରାନ୍: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ମଧ୍ୟରେ ହର୍ମୁଜ୍ ପ୍ରଣାଳୀକୁ ଖୋଲିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ଗୁରୁତ୍ୱପୂର୍ଣ୍ଣ ଭୋଟ୍ ହେବାକୁ ଯାଉଛି। ବାହାରିନ୍ ପକ୍ଷରୁ ପ୍ରସ୍ତାବିତ ଏହି ଡ୍ରାଫ୍ଟରେ ଆକ୍ରମଣାତ୍ମକ ପଦକ୍ଷେପ ଠାରୁ ଦୂରେ ରହି ଶାନ୍ତିପୂର୍ଣ୍ଣ ଉପାୟରେ ଜାହାଜ ଚଳାଚଳ ସୁନିଶ୍ଚିତ କରିବା ଉପରେ ଜୋର ଦିଆଯାଇଛି।
ଏହି ପ୍ରସ୍ତାବକୁ ୬ଟି ଗଲ୍ଫ ଦେଶ ଓ ଜୋର୍ଡାନ୍ ସମର୍ଥନ କରିଛନ୍ତି। ବିଶ୍ବର ପ୍ରାୟ ଚତୁର୍ଥାଂଶ ତେଲ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ ହୁଏ, ଯାହା ବନ୍ଦ ରହିବାରୁ ବହୁ ଦେଶ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛନ୍ତି।
ନୂତନ ଡ୍ରାଫ୍ଟରେ ପୂର୍ବତନ ପ୍ରସ୍ତାବର ଆକ୍ରମଣାତ୍ମକ ଧାରାଗୁଡ଼ିକୁ ହଟାଯାଇଛି। ଏଥିରେ ଦେଶଗୁଡ଼ିକୁ କମରେ କମ୍ ୬ ମାସ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ନୌପରିବହନରେ ବାଧା ସୃଷ୍ଟି କରିବାକୁ ବାରଣ କରିବା ସହ ଆବଶ୍ୟକ ପ୍ରତିରକ୍ଷା ବ୍ୟବସ୍ଥା ନେବାକୁ ଅନୁମତି ଦେବାର ବ୍ୟବସ୍ଥା ରହିଛି।
୧୫ ସଦସ୍ୟର ସୁରକ୍ଷା ପରିଷଦରେ ଆମେରିକା, ବ୍ରିଟେନ୍, ଚୀନ୍, ଫ୍ରାନ୍ସ ଓ ରୁଷ୍ ସ୍ଥାୟୀ ସଦସ୍ୟ ଅଟନ୍ତି। ଏହି ସଦସ୍ୟମାନଙ୍କ ମଧ୍ୟରୁ କେହି ଭିଟୋ ଶକ୍ତି ବ୍ୟବହାର କଲେ ପ୍ରସ୍ତାବ ପାସ୍ ହେବାରେ ବାଧା ଆସିପାରେ। ପୂର୍ବ ଡ୍ରାଫ୍ଟକୁ ରୁଷ୍ ଓ ଚୀନ୍ ଦୃଢ଼ଭାବେ ବିରୋଧ କରିଥିଲେ।
ଅନ୍ୟପକ୍ଷରେ Donald Trump ପୁଣିଥରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯୁଦ୍ଧ ଶେଷ କରିବା ପାଇଁ ଇରାନ ତୁରନ୍ତ ପଦକ୍ଷେପ ନେବା ଉଚିତ, ନଚେତ ଆଉ ଭୟଙ୍କର ପରିଣାମ ଦେଖିବାକୁ ପଡ଼ିବ।
ଏହା ସହିତ ମଧ୍ୟପ୍ରାଚ୍ୟର ସ୍ଥିତି ଦିନକୁ ଦିନ ଅଧିକ ସଙ୍କଟପୂର୍ଣ୍ଣ ହେଉଥିବା ବେଳେ, ଆନ୍ତର୍ଜାତୀୟ ସମୁଦାୟ ଏହାକୁ ନଜରରେ ରଖିଛି।





