ଷ୍ଟକହୋମ, ୭ ଅକ୍ଟୋବର: ହଙ୍ଗେରୀର ପ୍ରସିଦ୍ଧ ସାହିତ୍ୟିକ ଲାସଲୋ କ୍ରାଜନାହୋରକାଇଙ୍କୁ ୨୦୨୫ ସାଲର ସାହିତ୍ୟ ନୋବେଲ ପୁରସ୍କାର ପାଇଁ ଚୟନ କରାଯାଇଛି। ସ୍ବିଡିସ୍ ଏକାଡେମୀ ତାଙ୍କ ଉପନ୍ୟାସ ହର୍ସଟ୍ ୦୭୭୬୯ ପାଇଁ ଏହି ସମ୍ମାନ ଘୋଷଣା କରିଛି। ଏହି ଉପନ୍ୟାସରେ ସାମ୍ପ୍ରତିକ ଜର୍ମାନ ସମାଜର ଅସ୍ଥିରତା, ହିଂସା ଓ ସୌନ୍ଦର୍ଯ୍ୟର ମଧ୍ୟରେ ମାନବୀୟ ସଂଘର୍ଷକୁ ସୁନ୍ଦର ଭାବେ ଚିତ୍ରିତ କରାଯାଇଛି।

୧୯୫୪ ମସିହାରେ ହଙ୍ଗେରୀ ଓ ରୋମାନିଆ ସୀମାର ଗ୍ବାଲା ଗ୍ରାମରେ ଜନ୍ମିଥିବା କ୍ରାଜନାହୋରକାଇ ତାଙ୍କ ଲେଖନୀରେ ଲମ୍ବା, ଜଟିଳ ବାକ୍ୟ ଓ ଗଭୀର ଦାର୍ଶନିକ ଚିନ୍ତାଧାରା ପାଇଁ ପ୍ରସିଦ୍ଧ। ସେମାନଙ୍କ କାହାଣୀ ଏବଂ ଉପନ୍ୟାସରେ ମାନବ ମନୋବିଜ୍ଞାନ ଓ ସମାଜିକ ସତ୍ୟକୁ ଅତି ସୁକ୍ଷ୍ମ ଭାବେ ଦେଖାଯାଇଥାଏ।

ସ୍ବିଡିସ୍ ଏକାଡେମୀ ପ୍ରତିବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରେ। ୧୯୦୧ରୁ ୨୦୨୪ ପର୍ଯ୍ୟନ୍ତ ମୋଟ ୧୨୧ ଜଣ ସାହିତ୍ୟିକ ଏହି ପୁରସ୍କାର ଜିତିଛନ୍ତି, ଯେଉଁଥିରେ ୧୮ ଜଣ ମହିଳା ଅଛନ୍ତି।

ଗତ ବର୍ଷ ଦକ୍ଷିଣ କୋରିଆ ଲେଖକ ହାନ୍ କାଙ୍ଗ ସାହିତ୍ୟ ନୋବେଲ ପାଇଥିଲେ। ତାହାପରେ ୨୦୨୩ରେ ଜନ୍ ଫୋସେ ଓ ୨୦୨୨ରେ ଆନି ଆର୍ନକ୍ସଙ୍କୁ ଏହି ପୁରସ୍କାର ଦିଆଯାଇଥିଲା। ୨୦୨୧ରେ ତାଞ୍ଜାନିଆର ଲେଖକ ଅବଦୁଲରଜାକ୍ ଗୁର୍ନା ଏହି ସମ୍ମାନ ପାଇଥିଲେ। ୨୦୧୮ରେ ଯୌନ ଅପରାଧ ଅଭିଯୋଗ ଉଠିବାରୁ ସାହିତ୍ୟ ନୋବେଲ ପୁରସ୍କାର ସେବର୍ଷ ସ୍ଥଗିତ ରଖାଯାଇଥିଲା।