ନୂଆଦିଲ୍ଲୀ, ୧ ସେପ୍ଟେମ୍ବର: ପାକିସ୍ତାନ ସୀମାନ୍ତ ନିକଟରେ ପୂର୍ବ ଆଫଗାନିସ୍ତାନରେ ଶନିବାର ରାତିରେ ହୋଇଥିବା ୬.୦ ତୀବ୍ରତାର ଭୂମିକମ୍ପ ବିପୁଳ ଧ୍ୱଂସ ସୃଷ୍ଟି କରିଛି। ତାଲିବାନ ସରକାରଙ୍କ ଅନୁସାରେ, ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଆହତ ହୋଇଛନ୍ତି।

ଏହି ଭୟାବହ ପରିସ୍ଥିତିରେ, ଭାରତ ଆଫଗାନିସ୍ତାନକୁ ସମସ୍ତ ପ୍ରକାରର ମାନବୀୟ ସହାୟତା ଏବଂ ରିଲିଫ୍ ସହଯୋଗ ଯୋଗାଇବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।

ସୋସିଆଲ ମିଡିଆ X ରେ ମୋଦି ଲେଖିଛନ୍ତି, “ଆଫଗାନିସ୍ତାନରେ ଭୂକମ୍ପରେ ଜୀବନହାନୀ ବିଷୟରେ ଜାଣି ମୁଁ ଗଭୀର ଭାବେ ମର୍ମାହତ। ଶୋକସନ୍ତପ୍ତ ପରିବାରଙ୍କ ସହିତ ଆମର ସମବେଦନା ରହିଛି। ଆମେ ଆହତମାନଙ୍କ ଶୀଘ୍ର ସୁସ୍ଥତା କାମନା କରୁଛୁ ଏବଂ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବାକୁ ପ୍ରସ୍ତୁତ।”

ଏଥି ପୂର୍ବରୁ, ୨୦୨୩ ଅକ୍ଟୋବର ୭ରେ ୬.୩ ତୀବ୍ରତାର ଭୂମିକମ୍ପରେ ୪,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା, ଯାହାକି ଆଫଗାନିସ୍ତାନ ଇତିହାସର ସବୁଠାରୁ ମାରଣାନ୍ତକ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଗଣାଯାଏ।