ନୂଆଦିଲ୍ଲୀ, ୨୪ ଅକ୍ଟୋବର: ଭାରତ ଓ ଚୀନ ମଧ୍ୟରେ ଏକ ବିଶାଳ ଚୁକ୍ତି ସ୍ବାକ୍ଷରିତ ହୋଇଛି, ଯାହା ଭାରତର ନବୀକରଣୀୟ ଶକ୍ତି କ୍ଷେତ୍ରକୁ ନୂଆ ଗତି ଦେବା ସହ ଋଷିଆ ପାଇଁ ମଧ୍ୟ ଏକ ବଡ଼ ଝଟ୍‌କା ହୋଇପାରେ। INOXGFL ଗ୍ରୁପର ଅନୁସଂଗୀକ କମ୍ପାନୀ ଆଇନକ୍ସ ସୋଲାର ଏବଂ ଚୀନର ଅଗ୍ରଣୀ ସୌର ଶକ୍ତି ନିର୍ମାତା ଲଙ୍ଗି ଗ୍ରୀନ ଏନର୍ଜି ଟେକ୍ନୋଲୋଜି ମଧ୍ୟରେ ପ୍ରାୟ ₹7,000 କୋଟି ମୂଲ୍ୟର ଚୁକ୍ତି ସ୍ବାକ୍ଷର ହୋଇଛି।

ଏହି ଚୁକ୍ତି ଅନୁସାରେ, ଆଇନକ୍ସ ସୋଲାର ଆଗାମୀ ତିନି ବର୍ଷ ମଧ୍ୟରେ ଲଙ୍ଗିକୁ 5 ଗିଗାୱାଟ ସୌର ମଡ୍ୟୁଲ ଯୋଗାଇବ। ଏହା ଭାରତର ସୌର ଶିଳ୍ପ ପାଇଁ ଏକ ମାଇଲସ୍‌ଟୋନ୍‌ ହୋଇଥିବା ସହ, ଏହା ଦେଶର ବଢ଼ୁଥିବା ଉତ୍ପାଦନ କ୍ଷମତା ଉପରେ ବିଶ୍ୱର ବିଶ୍ୱାସକୁ ପ୍ରକାଶ କରେ।

ଉତ୍ପାଦନ ଓ ଗୁଣବତ୍ତା ଉନ୍ନତିରେ ନୂଆ ପଦକ୍ଷେପ:

ଇକନମିକ ଟାଇମ୍ସ ଅନୁଯାୟୀ, ଲଙ୍ଗି ଭାରତୀୟ ବଜାର ପାଇଁ ଆଇନକ୍ସ ସୋଲାରରୁ ମଡ୍ୟୁଲ କିଣିବ। ଏହା ସହିତ ଚୀନୀ କମ୍ପାନୀ ଆଇନକ୍ସକୁ ଆନ୍ତର୍ଜାତୀୟ ମାନକରେ ଉନ୍ନତ ପ୍ରଯୁକ୍ତି ଓ ପ୍ରଶିକ୍ଷଣ ସହଯୋଗ ପ୍ରଦାନ କରିବ।

ଢେଙ୍କାନାଳରେ ନୂଆ ପ୍ଲାଣ୍ଟ:

ଆଇନକ୍ସ ସୋଲାର ସମ୍ପ୍ରତି ଅହମଦାବାଦ ନିକଟରେ ନୂଆ ସୌର ମଡ୍ୟୁଲ ପ୍ଲାଣ୍ଟ ଆରମ୍ଭ କରିଛି, ଯାହାର ପ୍ରାରମ୍ଭିକ କ୍ଷମତା 1.2 ଗିଗାୱାଟ ରହିଛି। ଆସନ୍ତା ପର୍ଯ୍ୟାୟରେ ଏହାକୁ 3 ଗିଗାୱାଟକୁ ବୃଦ୍ଧି କରାଯିବ। ଏହି ସହିତ ଓଡ଼ିଶାର ଢେଙ୍କାନାଳରେ 4.8 ଗିଗାୱାଟ କ୍ଷମତାର ଆଉ ଗୋଟିଏ ବଡ଼ ପ୍ଲାଣ୍ଟ ନିର୍ମାଣ ଚାଲିଛି।

ଭାରତୀୟ ସରକାରୀ ନୀତିର ପ୍ରଭାବ:

ସରକାର ଆମଦାନୀ ଶୁଳ୍କ ବଢ଼ାଇ ଏବଂ ଘରୋଇ ଉତ୍ପାଦନକୁ ଗୁରୁତ୍ୱ ଦେଇ ଦେଶୀ ଶିଳ୍ପକୁ ଉତ୍ସାହିତ କରୁଛି। ଏହି ନୀତିଗୁଡ଼ିକର ଫଳରେ ଭାରତରେ ସୌର ଉତ୍ପାଦନ ଦ୍ରୁତ ଗତିରେ ବଢ଼ୁଛି।

ବର୍ତ୍ତମାନ ଭାରତର ସୌର ମଡ୍ୟୁଲ ଉତ୍ପାଦନ କ୍ଷମତା 100 ଗିଗାୱାଟ ରୁ ଅଧିକ, ଏବଂ ସେଲ ଉତ୍ପାଦନ କ୍ଷମତା 27 ଗିଗାୱାଟରୁ 40 ଗିଗାୱାଟ ପର୍ଯ୍ୟନ୍ତ ବୃଦ୍ଧି ପାଇବା ଆଶା ରହିଛି।

ଏହି ଭାରତ-ଚୀନ ଚୁକ୍ତି ଭାରତକୁ ବିଶ୍ୱ ସୌର ଶକ୍ତି ଯୋଗାଣ ଶୃଙ୍ଖଳରେ ଏକ ଦୃଢ଼ ଅବସ୍ଥାନ ଦେବାକୁ ସହାୟକ ହେବ।