ନୂଆଦିଲ୍ଲୀ, ୭।୧୧: ପାକିସ୍ତାନ ଗୁପ୍ତ ଭାବରେ ପରମାଣୁ ପରୀକ୍ଷଣ କରୁଛି ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ପରେ ଭାରତ ପ୍ରଥମ ପ୍ରତିକ୍ରିୟା ଦେଇଛି। ବୈଦେଶିକ ମନ୍ତ୍ରଣାଳୟ (MEA) କହିଛି ଯେ ପାକିସ୍ତାନର ଅବୈଧ ଓ ଗୁପ୍ତ ପରମାଣୁ କାର୍ଯ୍ୟକଳାପ ନୂଆ ଘଟଣା ନୁହେଁ, ଏହା ତାହାର ଦୀର୍ଘ ଇତିହାସର ଅଂଶ।
MEA ମୁଖପାତ୍ର ରଣଧୀର ଜୟସୱାଲ ଜଣାଇଛନ୍ତି ଯେ ପାକିସ୍ତାନ ଦଶକ ଧରି ଚୋରା ଚାଲାଣ, ରପ୍ତାନି ନିୟନ୍ତ୍ରଣ ଉଲ୍ଲଂଘନ, ଗୁପ୍ତ ସହଯୋଗ ଓ ପରମାଣୁ ପ୍ରସାର ଭଳି କାର୍ଯ୍ୟରେ ଲିପ୍ତ ରହିଛି। ସେ ଅବଦୁଲ କାଦିର ଖାନ ନେଟୱାର୍କ (AQ Khan Network) ଉଦାହରଣ ଦେଇ କହିଛନ୍ତି ଯେ ଏହା ଆନ୍ତର୍ଜାତୀୟ ମଞ୍ଚରେ ଚିନ୍ତାର କାରଣ ହୋଇଥିଲା। ଭାରତ ନିରନ୍ତର ଏହି ବିଷୟଗୁଡ଼ିକ ଉପରେ ବିଶ୍ୱ ସମୁଦାୟକୁ ସଚେତନ କରୁଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି।
ଟ୍ରମ୍ପଙ୍କ ଚାଞ୍ଚଲ୍ୟକର ଦାବି:
ଆମେରିକୀୟ ଟିଭି ଚ୍ୟାନେଲ୍ CBS ର 60 Minutes କାର୍ଯ୍ୟକ୍ରମରେ ଯୋଗଦେଇ ଟ୍ରମ୍ପ କହିଥିଲେ ଯେ ଚୀନ, ପାକିସ୍ତାନ ଓ ଉତ୍ତରକୋରିଆ ଗୋପନରେ ପରମାଣୁ ପରୀକ୍ଷଣ କରୁଛନ୍ତି। ସେ ଆହୁରି ଜଣାଇଥିଲେ ଯେ ଏହି ପରିସ୍ଥିତି ଦେଖି ଆମେରିକା ମଧ୍ୟ ପୁନର୍ବାର ପରମାଣୁ ପରୀକ୍ଷଣ କରିବାକୁ ବିଚାର କରୁଛି ଏବଂ ଏହିପାଇଁ ପେଣ୍ଟାଗନକୁ ନିର୍ଦ୍ଦେଶ ଦିଆଯାଇଛି।
ପାକିସ୍ତାନର ପ୍ରତିକ୍ରିୟା:
ଟ୍ରମ୍ପଙ୍କ ଅଭିଯୋଗକୁ ପାକିସ୍ତାନ ସପ୍ରତି ଅସ୍ବୀକାର କରିଛି। ପାକିସ୍ତାନ ସରକାର କହିଛି ଯେ “ପ୍ରଥମେ ପରମାଣୁ ପରୀକ୍ଷଣ ନ କରିବା” ତାଙ୍କ ନୀତି ରହିଛି ଏବଂ ୧୯୯୮ ପରେ ସେମାନେ କୌଣସି ପରୀକ୍ଷଣ କରିନାହାନ୍ତି। ସେତେବେଳେ ଭାରତ ପରମାଣୁ ପରୀକ୍ଷଣ କରିବା ପରେ ଏହାର ପ୍ରତିକ୍ରିୟା ସ୍ୱରୂପେ ପାକିସ୍ତାନ ପରୀକ୍ଷଣ କରିଥିଲା ବୋଲି ସେମାନେ ଦାବି କରିଛନ୍ତି।





