ନୂଆଦିଲ୍ଲୀ, ୧୧ ଅଗଷ୍ଟ — ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନୀରଙ୍କ ପରମାଣୁ ଯୁଦ୍ଧ ସମ୍ପର୍କୀୟ ବୟାନକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ଜଣାଇଛି। ଭାରତ, ପାକିସ୍ତାନକୁ ଦାୟିତ୍ବହୀନ ଦେଶ ବୋଲି ବର୍ଣ୍ଣନା କରି, ସେଠାରେ ଗଣତନ୍ତ୍ରର ଅଭାବ ରହିଥିବା ଆକ୍ଷେପ କରିଛି। ସେଥିସହିତ, ଏହି ବୟାନ ଏକ ମିତ୍ର ଦେଶର ମାଟିରୁ ଆସିଥିବାକୁ “ଦୁର୍ଭାଗ୍ୟଜନକ” ବୋଲି କହି, ଆମେରିକାକୁ ମଧ୍ୟ ସମାଲୋଚନା କରିଛି।

ଭାରତୀୟ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନ ପରମାଣୁ ଆକ୍ରମଣର ଧମକ ଦେବାରେ ପୁରୁଣା ଅଭ୍ୟାସୀ। କିନ୍ତୁ ଏପରି “ପରମାଣୁ ବ୍ଲାକମେଲିଂ” ସମ୍ମୁଖୀନେ ଭାରତ କେବେବି ଡରିବ ନାହିଁ। ଏହି ପରିସ୍ଥିତି ବିଶ୍ୱକୁ ପ୍ରଶ୍ନ କରିବାକୁ ବାଧ୍ୟ କରୁଛି ଯେ, ପାକିସ୍ତାନର ପରମାଣୁ ଅସ୍ତ୍ର କାହା ନିୟନ୍ତ୍ରଣରେ ରହିଛି, କାରଣ ସେଠାରେ ସେନା ଓ ଆତଙ୍କବାଦୀ ଗୋଷ୍ଠୀ ହାତମିଳାଇଥାନ୍ତି।

ଭାରତ ସ୍ପଷ୍ଟ କରିଛି ଯେ, ପରମାଣୁ ଆକ୍ରମଣର କୌଣସି ପ୍ରକାରର ଧମକକୁ ସେ ମାନିବେ ନାହିଁ ଏବଂ ଜାତୀୟ ସୁରକ୍ଷା ପାଇଁ ସମସ୍ତ ପ୍ରୟୋଜନୀୟ ପଦକ୍ଷେପ ନିଆଯିବ।

ଗତ ଏପ୍ରିଲରେ ମୁନୀରଙ୍କ ଭାରତବିରୋଧୀ ଟୀକା-ଟିପ୍ପଣୀ ପରେ କେବଳ କିଛି ଦିନରେ ପହଲଗାମ ଆକ୍ରମଣ ଘଟିଥିଲା ବୋଲି ଧ୍ୟାନରେ ରଖି, ଏହିଥର ଭାରତୀୟ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି।