ଜାକର୍ତ୍ତା: ୧୧ ଜଣ ଯାତ୍ରୀଙ୍କୁ ନେଇ ଉଡାଣ କରୁଥିବା ଇଣ୍ଡୋନେସିଆର ଏକ ଆଞ୍ଚଳିକ ଯାତ୍ରୀବାହୀ ବିମାନ ଆଜି ମଝି ଆକାଶରେ ହଠାତ୍‌ ନିଖୋଜ ହୋଇଯାଇଛି। ଦକ୍ଷିଣ ସୁଲାୱେସିର ଏକ ପାର୍ବତ୍ୟ ଅଞ୍ଚଳ ଉପରେ ଉଡୁଥିବା ସମୟରେ ବିମାନଟି ସହ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ର ସମ୍ପର୍କ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଛି।

ଇଣ୍ଡୋନେସିଆ ଏୟାର୍‌ ଟ୍ରାନ୍ସପୋର୍ଟ ଦ୍ୱାରା ପରିଚାଳିତ ଟର୍ବୋପ୍ରପ୍‌ ବିମାନ ଏଟିଆର୍‌ ୪୨-୫୦୦ ଯୋଗ୍ୟକାର୍ତାରୁ ଦକ୍ଷିଣ ସୁଲାୱେସିର ରାଜଧାନୀ ଦିଗକୁ ଯାଉଥିଲା। ଉଡାଣ ସମୟରେ ହଠାତ୍‌ ବିମାନଟି ରାଡାରରୁ ଗାୟବ ହୋଇଯାଇଥିଲା।

ପରିବହନ ମନ୍ତ୍ରାଳୟର ମୁଖପାତ୍ର ଏନ୍ଦା ପୁର୍ନମା ସାରି କହିଛନ୍ତି ଯେ, ବିମାନଟିକୁ ଶେଷଥର ପାଇଁ ଆଜି ଅପରାହ୍ନ ୧ଟା ୧୭ ମିନିଟ୍‌ରେ ମାରୋସ ଜିଲ୍ଲାର ଲିଙ୍ଗ-ଲିଙ୍ଗ ଅଞ୍ଚଳ ନିକଟରେ ଟ୍ରାକ୍‌ କରାଯାଇଥିଲା। ପରେ ବୁଲୁସାରାଉଙ୍ଗ ଜାତୀୟ ଉଦ୍ୟାନ ସମୀପରେ ଥିବା ପାର୍ବତ୍ୟ ଅଞ୍ଚଳରେ ବିମାନଟି ନିଖୋଜ ହୋଇଯାଇଥିବା ସନ୍ଦେହ କରାଯାଉଛି।

ବିମାନଟିକୁ ଖୋଜିବା ପାଇଁ ବାୟୁସେନାର ହେଲିକପ୍ଟର, ଡ୍ରୋନ୍‌ ଓ ଗ୍ରାଉଣ୍ଡ ୟୁନିଟ୍‌ ସହଯୋଗରେ ବ୍ୟାପକ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଛନ୍ତି।