ୱାସିଂଟନ: ଇରାନରେ ଚାଲିଥିବା ସରକାର ବିରୋଧୀ ପ୍ରଦର୍ଶନକୁ ଦମନ କରିବା ମଧ୍ୟରେ ନେଇଯାଇଥିବା କଠୋର ପଦକ୍ଷେପ ଉପରେ ଆନ୍ତର୍ଜାତୀୟ ଚାପ ବଢ଼ିବା ପରେ ଏକ ବଡ଼ ପଛହଟ ଦେଖାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ପଷ୍ଟ ଓ କଠୋର ଚେତାବନୀ ପରେ ଇରାନ ସରକାର ପ୍ରାୟ ୮୦୦ ଜଣଙ୍କ ଉପରେ ଜାରି ହୋଇଥିବା ମୃତ୍ୟୁଦଣ୍ଡ ନିଷ୍ପତ୍ତିକୁ ସ୍ଥଗିତ ରଖିଛି।
ମାନବାଧିକାର ସଂଗଠନଗୁଡ଼ିକ ଅନୁସାରେ, ଦେଶବ୍ୟାପୀ ପ୍ରଦର୍ଶନକୁ ଦମନ କରିବା ସମୟରେ ଇରାନରେ ହୋଇଥିବା ହିଂସାରେ ୨,୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହାସହିତ ଶହ ଶହ ପ୍ରତିବାଦକାରୀଙ୍କୁ ଫାଶୀ ଦିଆଯିବାର ଆଶଙ୍କା ଥିବା ବେଳେ ହଜାର ହଜାର ଲୋକଙ୍କୁ ଗିରଫ ମଧ୍ୟ କରାଯାଇଥିଲା।
ତେହେରାନକୁ ଗମ୍ଭୀର ପରିଣାମର ଚେତାବନୀ
ହ୍ୱାଇଟ୍ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି ଯେ, ପ୍ରଦର୍ଶନକାରୀଙ୍କ ଉପରେ ଯୋଜନାବଦ୍ଧ ମୃତ୍ୟୁଦଣ୍ଡକୁ ଆମେରିକା ହିଂସାତ୍ମକ ଦମନ ଭାବରେ ଦେଖୁଛି। ଟ୍ରମ୍ପ ପ୍ରଶାସନ ଇରାନକୁ ସ୍ପଷ୍ଟ କରିଦେଇଛି ଯେ, ଯଦି ହତ୍ୟା ଓ ଦମନ ଜାରି ରହେ, ତେବେ ତେହେରାନକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। ଏହି ମାମଲାରେ ରାଷ୍ଟ୍ରପତିଙ୍କ ନିକଟରେ ସମସ୍ତ ବିକଳ୍ପ ଖୋଲା ରହିଛି ବୋଲି ଆମେରିକା ସ୍ପଷ୍ଟ କରିଛି।
ସୂଚନାଯୋଗ୍ୟ, ଟ୍ରମ୍ପ ପ୍ରଶାସନ ପୂର୍ବରୁ ଇରାନର ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସହିତ ସଂପୃକ୍ତ ଅଧିକାରୀ ଓ ଗୁପ୍ତ ବ୍ୟାଙ୍କିଂ ନେଟୱର୍କ ସହ ଜଡିତ ୧୮ ଜଣ ବ୍ୟକ୍ତି ଓ କମ୍ପାନୀ ଉପରେ କଟକଣା ଲାଗୁ କରିଥିଲେ।
ଏକ ମାମଲା ପରେ ବଢ଼ିଲା ଚାପ
୨୬ ବର୍ଷୀୟ ଇରାନୀ ପ୍ରତିବାଦକାରୀ ଇରଫାନ୍ ସୁଲତାନୀଙ୍କ ମୃତ୍ୟୁଦଣ୍ଡ ଆଦେଶ ପରେ ଆମେରିକା ପକ୍ଷରୁ କଠୋର ପ୍ରତିକ୍ରିୟା ଆସିଥିଲା। ପରେ ସୁଲତାନୀଙ୍କ ପରିବାର ସୂଚନା ଦେଇଛନ୍ତି ଯେ ତାଙ୍କର ମୃତ୍ୟୁଦଣ୍ଡ ସ୍ଥଗିତ ରଖାଯାଇଛି। ଇରାନର ରାଷ୍ଟ୍ରୀୟ ଗଣମାଧ୍ୟମ ଆଇଆର୍ଆଇବି ମଧ୍ୟ ଏହାକୁ ସ୍ପଷ୍ଟ କରିଛି ଯେ ସୁଲତାନୀଙ୍କୁ ଏପର୍ଯ୍ୟନ୍ତ ଫାଶୀ ଦିଆଯାଇନାହିଁ।
ମଧ୍ୟସ୍ଥତା ପରେ ତଣାପୋଡ଼ କମିଲା
ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା କମାଇବାକୁ ସାଉଦି ଆରବ, କତାର, ଓମାନ ଓ ଇଜିପ୍ଟ ମଧ୍ୟସ୍ଥତା କରିଥିଲେ। ରଏଟର୍ସ ରିପୋର୍ଟ ଅନୁସାରେ, ଏହି ଗଲ୍ଫ ଦେଶମାନଙ୍କ ୪୮ ଘଣ୍ଟିଆ ପ୍ରୟାସ ପରେ ଆମେରିକା ସମ୍ଭାବ୍ୟ ସେନା କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛି। ଇରାନରେ ହିଂସା ଘଟଣା କିଛି ହଦ ପର୍ଯ୍ୟନ୍ତ କମିଥିବା ଟ୍ରମ୍ପ ଦାବି କରିଛନ୍ତି।





