ତେହେରାନ: ପାକିସ୍ତାନ ମାଧ୍ୟମରେ ଆମେରିକା ସହ ଆଲୋଚନା କରିବାକୁ ଇରାନ ରାଜି ନୁହେଁ ବୋଲି ଚାଲିଥିବା ଖବରକୁ ନେଇ ଇରାନ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି। Abbas Araghchi କହିଛନ୍ତି ଯେ, ଇସଲାମାବାଦ ଯାଇ ମଧ୍ୟସ୍ଥତା ଆଲୋଚନା କରିବାକୁ ତାଙ୍କ ଦେଶ କେବେ ବି ଅସ୍ୱୀକାର କରିନାହିଁ।
ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି କହିଛନ୍ତି ଯେ, କିଛି ଆମେରିକୀୟ ମିଡିଆ ଇରାନର ମତାମତକୁ ଭୁଲ ଭାବେ ପ୍ରଚାର କରିଛି। ଏହି ପ୍ରଚାର ଫଳରେ ଅନାବଶ୍ୟକ ଭ୍ରାନ୍ତି ସୃଷ୍ଟି ହୋଇଛି।
ପାକିସ୍ତାନର ମଧ୍ୟସ୍ଥତା ପ୍ରୟାସକୁ ସ୍ୱାଗତ କରି ଅରାଘଚି ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଇରାନ ଉପରେ ଥୋପାଯାଇଥିବା ଏକ ଅବୈଧ ଯୁଦ୍ଧର ସ୍ଥାୟୀ ଓ ନ୍ୟାୟସଂଗତ ସମାଧାନ ହେଉଛି ତାଙ୍କ ଦେଶର ପ୍ରାଥମିକତା।
ସୂଚନାଯୋଗ୍ୟ, ପୂର୍ବରୁ ଏମିତି ଖବର ଆସିଥିଲା ଯେ ଇରାନ ପକ୍ଷରୁ ସ୍ପଷ୍ଟ ଜବାବ ମିଳୁନଥିବାରୁ ଶାନ୍ତି ଆଲୋଚନା ଧୀର ହୋଇପଡ଼ିଛି। ତେବେ ପାକିସ୍ତାନ ବିଦେଶ କାର୍ଯ୍ୟାଳୟ ପ୍ରବକ୍ତା ଏହି ଖବରକୁ ଭିତ୍ତିହୀନ ଓ ମନଗଢ଼ା ବୋଲି ଖଣ୍ଡନ କରିଥିଲେ।
ଇସଲାମାବାଦରେ ହୋଇଥିବା ଗୋଟିଏ ରୁଦ୍ଧଦ୍ୱାର ବୈଠକକୁ ନେଇ ବଢ଼ୁଥିବା ଅନୁମାନ ମଧ୍ୟରେ ଇରାନ ଓ ପାକିସ୍ତାନର ଏହି ସ୍ପଷ୍ଟୀକରଣ ଗୁରୁତ୍ୱ ଅଧିଗ୍ରହଣ କରିଛି।





