ତେହେରାନ, ଜୁନ୍ ୨୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଗମ୍ଭୀର ରୂପ ଧାରଣ କରୁଛି। ଆମେରିକା ପକ୍ଷରୁ ଇରାନ ଉପରେ ହୋଇଥିବା ଆକ୍ରମଣ ପରେ, ଇରାନ ଇସ୍ରାଏଲ ଉପରେ ୧୫ଟିରୁ ଅଧିକ ମିସାଇଲ୍ ମାଡ଼ କରିଛି। ଏହି ଆକ୍ରମଣ ବିଭିନ୍ନ ସ୍ଥାନକୁ ଲକ୍ଷ୍ୟ କରି ହୋଇଥିବା ଜଣାପଡିଛି, ଯାହା ଫଳରେ ଇସ୍ରାଏଲରେ ଆତଙ୍କ ଛାଇଯାଇଛି। ମିସାଇଲ୍ ଆକ୍ରମଣ ପରେ ଇସ୍ରାଏଲର ବିଭିନ୍ନ ସ୍ଥାନରେ ଆପାତକାଳୀନ ସାଇରନ ବାଜି ଉଠିଥିଲା ଓ କ୍ଷୟକ୍ଷତି ଘଟିଥିବା ଅନୁମାନ ରହିଛି।
ଏହାର ପ୍ରତିଶୋଧରେ, ଇସ୍ରାଏଲ ମଧ୍ୟ ଅଜି ଅପରାହ୍ନରେ ଇରାନ ଉପରେ ବୋମା ଆକ୍ରମଣ କରିଛି। ଏହି ପ୍ରତିକ୍ରିୟା ଯୁଦ୍ଧ ପରିସ୍ଥିତିକୁ ଆଉ ଗମ୍ଭୀର ଦିଗରେ ନେଉଛି।
ଏହି ଘଟଣାର ପରିପ୍ରେକ୍ଷିତରେ ଇରାନ ସଂସଦ ଷ୍ଟ୍ରେଟ୍ ଅଫ୍ ହରମୁଜ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି, ଯାହା ବିଶ୍ୱ ଅର୍ଥନୀତି ପାଇଁ ଗଭୀର ଆଶଙ୍କା ସୃଷ୍ଟି କରିଛି। ଏହି ମହତ୍ତ୍ୱପୂର୍ଣ୍ଣ ସମୁଦ୍ରପଥ ଦେଇ ଇରାନ ଅନେକ ଦେଶକୁ ତୈଳ ଓ ପ୍ରାକୃତିକ ଗ୍ୟାସ ରପ୍ତାନୀ କରିଥାଏ। ଯଦି ଯୁଦ୍ଧ ଆଉ ଭୟଙ୍କର ରୂପ ନେଉଛି, ତେବେ ବିଶ୍ୱ ଅର୍ଥନୀତି ଓ ଶାନ୍ତି ପାଇଁ ଏହା ଏକ ଭୟାବହ ସଂକେତ ହେବ।





