ଦୁବାଇ: ଆମେରିକା ସହ ବଢ଼ୁଥିବା ତିକ୍ତତା କମାଇବା ପାଇଁ ଇରାନ ବିଭିନ୍ନ କୂଟନୈତିକ ପଥ ଓ ପ୍ରକ୍ରିୟାକୁ ସବିଶେଷ ଭାବେ ଯାଞ୍ଚ କରୁଥିବା କଥା ସୋମବାର ଇରାନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଇସ୍ମାଇଲ୍ ବାଘେଇ କହିଛନ୍ତି। ଆଗାମୀ ଦିନରେ ଏହି ପଦକ୍ଷେପରୁ ସକାରାତ୍ମକ ଫଳ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସମ୍ପ୍ରତି ଅଞ୍ଚଳରେ ଆମେରିକୀୟ ନୌସେନାର ସାମରିକ ସକ୍ରିୟତା ବୃଦ୍ଧି ପରିପ୍ରେକ୍ଷିତରେ ଦୁଇ ଦେଶର ସମ୍ପର୍କ ପୁଣିଥରେ ଚର୍ଚ୍ଚାରେ ଆସିଛି। ଏହା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ସପ୍ତାହରେ କହିଥିଲେ ଯେ ଇରାନ ଓ ୱାସିଂଟନ ମଧ୍ୟରେ ଗମ୍ଭୀର ଭାବରେ ଆଲୋଚନା ଚାଲିଛି।

ଏପଟେ ତେହେରାନର ବରିଷ୍ଠ ସୁରକ୍ଷା ଅଧିକାରୀ ଅଲି ଲାରିଜାନି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଲେଖିଛନ୍ତି ଯେ ଆଲୋଚନା ପାଇଁ ପ୍ରସ୍ତୁତି ଓ ବ୍ୟବସ୍ଥା ଚାଲିଛି।

ମୁଖପାତ୍ର ବାଘେଇଙ୍କ କହିବା ଅନୁସାରେ, ଆଲୋଚନାର ପ୍ରକ୍ରିୟା ଓ ଢାଞ୍ଚା ସମ୍ପର୍କରେ ସବୁ ଦିଗରୁ ପର୍ଯ୍ୟାଳୋଚନା କରାଯାଉଛି ଏବଂ ଆଗାମୀ ସମୟରେ ଏଥିରୁ ପରିଣାମ ଆସିବ ବୋଲି ଇରାନ ଆଶା କରୁଛି।