ବାଗଦାଦ୍: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ Iraq ଏବେ ଗୁରୁତ୍ୱପୂର୍ଣ୍ଣ ଓ କଠୋର ପଦକ୍ଷେପ ନେଇଛି। ଦେଶର ଜାତୀୟ ସୁରକ୍ଷା ପରିଷଦ Popular Mobilization Forces (ପିଏମଏଫ୍) ସହ ଅନ୍ୟାନ୍ୟ ସାମରିକ ବାହିନୀକୁ ଯେକୌଣସି ବିଦେଶୀ ଆକ୍ରମଣକୁ ସିଧାସଳଖ ଜବାବ ଦେବାକୁ ଅନୁମତି ଦେଇଛି।
ଏହି ନିଷ୍ପତ୍ତି ପରେ United States ଓ Israel ପାଇଁ ନୂଆ ସୁରକ୍ଷା ଚ୍ୟାଲେଞ୍ଜ ସୃଷ୍ଟି ହେବାର ଆଶଙ୍କା ବଢ଼ିଛି। ବିଶେଷଜ୍ଞମାନଙ୍କ ମତରେ, ଇରାକର ଏହି ମନୋଭାବ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଆହୁରି ବିସ୍ତାର କରିପାରେ।
ଏହା ସହିତ, ଇରାକ ସରକାର ଆମେରିକୀୟ ଦୂତାବାସର ଚାର୍ଜ ଡି’ଆଫେୟର୍ସଙ୍କୁ ଡାକି ଏକ କଠୋର ପ୍ରତିବାଦ ପତ୍ର ଦେଇଛି। ଏଥିରେ ସ୍ପଷ୍ଟ କରାଯାଇଛି ଯେ, ଦେଶ ନିଜ ସାର୍ବଭୌମତ୍ୱର କୌଣସି ଉଲ୍ଲଂଘନକୁ ସହିବ ନାହିଁ ଏବଂ ଆବଶ୍ୟକ ହେଲେ ସିଧାସଳଖ ପ୍ରତିକ୍ରିୟା ଦେବ।
ସୂଚନା ଅନୁଯାୟୀ, ଦେଶ ଭିତରେ ବିଦେଶୀ ଆକ୍ରମଣକୁ ନେଇ ବଢୁଥିବା ଅସନ୍ତୋଷ ଓ ପ୍ରଦର୍ଶନ ସରକାରକୁ ଏହି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି। ଏହି ପଦକ୍ଷେପକୁ ଦେଶ ମଧ୍ୟରେ ବିସ୍ତୃତ ସମର୍ଥନ ମିଳୁଥିବା କୁହାଯାଉଛି।
ଏହି ନୂଆ ନୀତି ସହିତ, ଇରାକ ପୂର୍ବତନ ସାବଧାନ ଭୂମିକାରୁ ବାହାରି ଏବେ ସକ୍ରିୟ ଭାବେ ସଂଘର୍ଷରେ ଅଂଶଗ୍ରହଣ କରିପାରେ। ଏହା ଅଞ୍ଚଳର ସୁରକ୍ଷା ସମୀକରଣକୁ ବଦଳାଇଦେବା ସହ ଆଗାମୀ ଦିନରେ ସଂଘର୍ଷ ଆହୁରି ତୀବ୍ର ହେବାର ସଙ୍କେତ ମିଳୁଛି।
ଏପରିକି, Victory Base Complex ରୁ NATO ଓ ଆମେରିକୀୟ ସେନାଙ୍କ ପ୍ରତ୍ୟାହାର ନେଇ ମଧ୍ୟ ସୂଚନା ମିଳୁଛି, ଯାହା ଅଞ୍ଚଳର ସାମରିକ ସ୍ଥିତିକୁ ଆହୁରି ଅନିଶ୍ଚିତ କରିଦେଇଛି।





