ସିଓଲ୍ – ଇରାନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢ଼ିଥିବାବେଳେ, ଉତ୍ତର କୋରିଆ ଏହି ପରିସ୍ଥିତିକୁ ଗମ୍ଭୀର ଭାବେ ନିଅଛି। ଇସ୍ରାଏଲ ଦ୍ୱାରା ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ ପରେ, ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନ ତୁରନ୍ତ ତାଙ୍କ ଅସ୍ତ୍ର ଉତ୍ପାଦନ କାରଖାନା ପରିଦର୍ଶନ କରି ଏହାକୁ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
କିମ୍ କହିଛନ୍ତି ଯେ, ବିଶ୍ୱ ଏକ ଆଧୁନିକ ଯୁଦ୍ଧର ଦିଗକୁ ଯାଉଛି, ଯେଉଁଠାରେ ଶକ୍ତିଶାଳୀ ଅସ୍ତ୍ର ଏବଂ ଅଧିକ କ୍ଷମତାଶାଳୀ ଗୋଳାବାରୁଦ ହିଁ ରାଷ୍ଟ୍ରର ପ୍ରକୃତ ଶକ୍ତି ହେବ। ସେ ଅଧିକାରୀମାନଙ୍କୁ ବୋମା, ଗୁଳି ଓ ଶକ୍ତିଶାଳୀ ସେଲ୍ ଉତ୍ପାଦନ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ୱୟଂଚାଳିତ ଉତ୍ପାଦନ ଉପରେ ଜୋର
କିମ୍ ବଳିଛନ୍ତି ଯେ, ଅସ୍ତ୍ର ଉତ୍ପାଦନ କାରଖାନାଗୁଡ଼ିକୁ ଏଭଳି ଭାବରେ ଡିଜାଇନ୍ କରାଯିବା ଉଚିତ, ଯାହାଦ୍ୱାରା ମାନବ ହସ୍ତକ୍ଷେପ କମିଥାଏ ଏବଂ ମେସିନଗୁଡ଼ିକ ସ୍ୱୟଂଚାଳିତ ଭାବେ କାର୍ଯ୍ୟ କରିପାରିବ। ସେ ଅଧିକ କ୍ଷମତା ବିକାଶ ଓ ଉତ୍ପାଦନ ପ୍ରକ୍ରିୟାକୁ ଆଧୁନିକ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।
ରୁଷିଆ ସହ ବଢ଼ୁଥିବା ସାମରିକ ସମ୍ପର୍କ
ଜାତିସଂଘର ଏକ ରିପୋର୍ଟ ଅନୁସାରେ, ଉତ୍ତର କୋରିଆ ରୁଷିଆକୁ 20 ହଜାରରୁ ଅଧିକ କଣ୍ଟେନର ମାଧ୍ୟମରେ ଅସ୍ତ୍ର ପଠାଇଛି। ଏହି ବନ୍ଧୁତା ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ବଢ଼ାଇବା ଉଦ୍ଦେଶ୍ୟରେ ଘଟିଛି।
ଦକ୍ଷିଣ କୋରିଆ ଓ ପଶ୍ଚିମ ଦେଶମାନଙ୍କ ଉପରେ ନଜର
ଯଦ୍ୟପି ଉତ୍ତର କୋରିଆ ଏବେ ଦକ୍ଷିଣ କୋରିଆ ବିରୋଧରେ କଠୋର ମନ୍ତବ୍ୟ ରଖିନାହିଁ, କିମ୍ ନିଜର ଯୁଦ୍ଧ ନୀତି ଓ ସେନା ମଜବୁତ କରିବା ଉପରେ ନିରନ୍ତର ଜୋର ଦେଉଛନ୍ତି। ସେ ବର୍ତ୍ତମାନ ପଶ୍ଚିମ ଦେଶ ଓ ଆମେରିକା ଉପରେ ଅଧିକ ନଜର ରଖିଛନ୍ତି।
ଇରାନ ଉପରେ ହୋଇଥିବା ଆକ୍ରମଣ ପରେ, କିମ୍ ଜୋଙ୍ଗ ଉନଙ୍କ ନିଷ୍ପତ୍ତି ବିଶ୍ୱ ରାଜନୈତିକ ଓ ସାମରିକ ପରିଦୃଶ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଏସିଆ ଓ ବିଶ୍ୱ ସୁରକ୍ଷା ବ୍ୟବସ୍ଥା ଉପରେ ପୁଣିଥରେ ଚିନ୍ତା ଓ ଆଶଙ୍କା ସୃଷ୍ଟି କରିଛି।