ମସ୍କୋ: ରୁଷ୍ରୁ ତେଲ କ୍ରୟ ବନ୍ଦ କରିବାକୁ କେୌଣସି ଭାରତୀୟ ନେତା କେବେ ମନା କରିନାହାନ୍ତି ବୋଲି ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି। ବୁଧବାର ରୁଷ୍ ସଂସଦ ଡୁମାରେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହ ଆଲୋଚନା ସମୟରେ ସେ ଏହି ମତ ପ୍ରକାଶ କରିଥିଲେ।
ଲାଭରୋଭଙ୍କ କହିବା ଅନୁସାରେ, ଭାରତ ରୁଷ୍ଠାରୁ ତେଲ କିଣିବା ବନ୍ଦ କରିବ ବୋଲି ମାତ୍ର ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ମତ ଆସିଥିଲା, କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ଅନ୍ୟ କେୌଣସି ଭାରତୀୟ ନେତା ଏପରି କଥା କହିନାହାନ୍ତି। ସେ କହିଛନ୍ତି ଯେ, ରୁଷ୍ ତେଲ କ୍ରୟକୁ ନେଇ ୱାସିଂଟନ୍ ପକ୍ଷରୁ ବିଭିନ୍ନ ଦେଶ ଉପରେ ଶୁଳ୍କ ଓ ପ୍ରତିବନ୍ଧକ ଭଳି ଚାପ ପକାଯାଉଛି।
କିଛି ଦିନ ପୂର୍ବରୁ ମସ୍କୋ ଅଭିଯୋଗ କରିଥିଲା ଯେ, ରୁଷ୍ରୁ ତେଲ ନ କିଣିବା ପାଇଁ ଆମେରିକା ଅନ୍ୟ ଦେଶମାନଙ୍କୁ ବାଧ୍ୟ କରିବା ଚେଷ୍ଟା କରୁଛି। ଏହା ପରେ ଲାଭରୋଭଙ୍କ ଏହି ବକ୍ତବ୍ୟ ଗୁରୁତ୍ୱ ପାଇଛି।
ସେ ଭାରତ–ରୁଷ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ଥିବା କଥା ଉଲ୍ଲେଖ କରି କହିଥିଲେ ଯେ, ନୂଆଦିଲ୍ଲୀର ଇଚ୍ଛା ଅନୁଯାୟୀ ରୁଷ୍ ଏହି ସମ୍ପର୍କକୁ ଆହୁରି ଶୀର୍ଷ ସ୍ତରକୁ ନେବାକୁ ପ୍ରସ୍ତୁତ। ସେ ଆଗାମୀ ଦିନରେ ଉଚ୍ଚସ୍ତରୀୟ ଭାରତ–ରୁଷ୍ ଆଲୋଚନା ଓ ଭ୍ଲାଦିମିର ପୁଟିନଙ୍କ ସମ୍ଭାବ୍ୟ ଭାରତ ଗସ୍ତ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ।
ଏପଟେ ଭାରତର ବିଦେଶ ସଚିବ ବିକ୍ରମ ମିଶ୍ରି ମଧ୍ୟ ସମ୍ପ୍ରତି କହିଥିଲେ ଯେ, ଭାରତ ନିଜ ଜରୁରୀଆତ ଅନୁଯାୟୀ ବିଭିନ୍ନ ସୂତ୍ରରୁ ତେଲ କ୍ରୟ ଜାରି ରଖିବ।





