ୱାଶିଂଟନ: ମହାକାଶ ବିଜ୍ଞାନରେ ଏକ ଚମତ୍କାରପୂର୍ଣ୍ଣ ଆବିଷ୍କାର ସମ୍ମୁଖୀନ ହୋଇଛି। ମହାକାଶବିଜ୍ଞାନୀମାନେ ଏକ ଅତ୍ୟଧିକ ତାପମାନ ଓ ତରଳ ଅବସ୍ଥାରେ ରହୁଥିବା ଗ୍ରହକୁ ଚିହ୍ନଟ କରିଛନ୍ତି, ଯାହାକୁ L 98-59 d ନାମ ଦିଆଯାଇଛି। ଏହି ଗ୍ରହ ପୃଥିବୀଠାରୁ ପ୍ରାୟ ୩୫ ଆଲୋକବର୍ଷ ଦୂରରେ ଅବସ୍ଥିତ।
ଏହି ଆବିଷ୍କାର ବିଷୟରେ Nature Astronomyରେ ବିସ୍ତୃତ ଭାବେ ଉଲ୍ଲେଖ ହୋଇଛି। ଗ୍ରହଟି ପାରମ୍ପରିକ ଧାରଣାକୁ ଚ୍ୟାଲେଞ୍ଜ କରିଛି, କାରଣ ଏହା ଗ୍ୟାସ୍ ବା ପଥରୀୟ ନୁହେଁ, ବରଂ ମୂଖ୍ୟତଃ ତରଳ ମାଗ୍ମାରେ ଗଠିତ।
ଏହି ଗ୍ରହକୁ James Webb Space Telescope ଦ୍ୱାରା ଚିହ୍ନଟ କରାଯାଇଛି। University of Oxfordର ଗବେଷକ Harrison Nichollsଙ୍କ କହିବା ଅନୁସାରେ, ଗ୍ରହଟି “ମୋଲାସେସ୍” ପରି ନରମ ଓ ତରଳ ଅବସ୍ଥାରେ ରହିଛି। ଏହାର ବାହ୍ୟ ପୃଷ୍ଠ ତରଳ ସିଲିକେଟ୍ରେ ଗଠିତ ହୋଇଥିବା ବେଳେ ଭିତରେ ମଧ୍ୟ ଏକ ତରଳ କୋର ରହିଛି।
ଗ୍ରହଟିର ପୃଷ୍ଠ ତାପମାତ୍ରା ପ୍ରାୟ ୧,୯୦୦ ଡିଗ୍ରୀ ସେଲସିଅସ୍ ରହିଛି। ନିକଟବର୍ତ୍ତୀ ଗ୍ରହମାନଙ୍କର ଗୁରୁତ୍ୱାକର୍ଷଣ ପ୍ରଭାବରୁ ଏହାର ମାଗ୍ମା ସମୁଦ୍ରରେ ବିଶାଳ ତରଙ୍ଗ ସୃଷ୍ଟି ହୁଏ।
ପୃଥିବୀଠାରୁ ବଡ଼, ଅତ୍ୟଧିକ ତାପମାନ
ଏହି ଗ୍ରହର ବ୍ୟାସାର୍ଦ୍ଧ ପୃଥିବୀଠାରୁ ପ୍ରାୟ ୧.୬୩ ଗୁଣା ବଡ଼ ଓ ଏହାର ଓଜନ ୧.୬୪ ଗୁଣା ଅଧିକ। ଏହା ଏକ ଛୋଟ ଲାଲ ତାରାକୁ ପରିକ୍ରମା କରୁଛି, ଯାହା ସୌରମଣ୍ଡଳ ବାହାରର ଗ୍ରହମାନଙ୍କ ମଧ୍ୟରେ ଗଣନୀୟ।
ଗ୍ରହଟି ଏକ ଘନ ବାୟୁମଣ୍ଡଳରେ ଆବୃତ, ଯେଉଁଥିରେ Hydrogen sulfideର ମାତ୍ରା ଅଧିକ। ଏହି ଗ୍ୟାସ୍ ହିଁ ପଚାଅଣ୍ଡା ପରି ଗନ୍ଧ ସୃଷ୍ଟି କରୁଥିବାରୁ ଗ୍ରହଟିକୁ ଅଲଗା ଚିହ୍ନଟ କରାଯାଇଛି।
ଏହି ଆବିଷ୍କାର ଭବିଷ୍ୟତରେ ଗ୍ରହ ଗଠନ ଓ ବାୟୁମଣ୍ଡଳ ଅଧ୍ୟୟନରେ ନୂଆ ଦିଗ ଖୋଲିବାକୁ ସମ୍ଭାବନା ରହିଛି।





