ନୂଆଦିଲ୍ଲୀ, ୧୯।୨: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ରେ ବିଶ୍ୱର ଅନେକ ପ୍ରମୁଖ ନେତା ଓ ପ୍ରତିନିଧିମାନେ ଯୋଗଦେଇ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଭବିଷ୍ୟତ ଓ ପ୍ରୟୋଗ ସମ୍ପର୍କରେ ମତ ରଖିଛନ୍ତି। ଏହି ଅବସରରେ Emmanuel Macron ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ୍ ମିଡିଆ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ ଆହ୍ୱାନ ଜଣାଇଛନ୍ତି।

ସମ୍ମିଳନୀକୁ ସମ୍ବୋଧନ କରି ମାକ୍ରୋନ୍ ଭାରତର ଆତିଥ୍ୟ ପାଇଁ ପ୍ରଧାନମନ୍ତ୍ରୀ Narendra Modiଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ଗତ ଦଶବର୍ଷରେ ଭାରତର ଡିଜିଟାଲ୍ ପରିବର୍ତ୍ତନ ଚମତ୍କାରଜନକ। ଏକ ସମୟରେ ଯେଉଁଠାରେ ଛୋଟ ବ୍ୟବସାୟୀଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲିବା କଷ୍ଟସାଧ୍ୟ ଥିଲା, ବର୍ତ୍ତମାନ ସେମାନେ ମୋବାଇଲ୍ ମାଧ୍ୟମରେ ତୁରନ୍ତ ଡିଜିଟାଲ୍ ଭୁଗତାନ ଗ୍ରହଣ କରିପାରୁଛନ୍ତି। ଏହାକୁ ସେ ଭାରତର ଡିଜିଟାଲ୍ ବିପ୍ଲବର ଉଦାହରଣ ବୋଲି ବର୍ଣ୍ଣନା କରିଥିଲେ।

ମାକ୍ରୋନ୍ ଆହୁରି କହିଥିଲେ ଯେ, ଭାରତ ପ୍ରତିବର୍ଷ ଲକ୍ଷାଧିକ ଏଆଇ ଇଞ୍ଜିନିୟର୍ ତିଆରି କରୁଛି। ପ୍ରାୟ ୫ ଲକ୍ଷ ଡେଭଲପରଙ୍କ ସହିତ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଡେଭଲପର୍ କମ୍ୟୁନିଟି ରଖିଛି ବୋଲି ସେ ଉଲ୍ଲେଖ କରିଥିଲେ।

ପିଲାମାନଙ୍କ ସୁରକ୍ଷା ନେଇ ଆହ୍ୱାନ

ସମ୍ମିଳନୀ ମଞ୍ଚରୁ ମାକ୍ରୋନ୍ ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବନ୍ଦ କରିବାକୁ ନିବେଦନ କରିଥିଲେ। ସେ କହିଥିଲେ, ଫ୍ରାନ୍ସ ପୂର୍ବରୁ ଏହି ବୟସ ସୀମା ତଳେ ଥିବା ପିଲାଙ୍କ ପାଇଁ ସୋସିଆଲ୍ ମିଡିଆରେ ପ୍ରତିବନ୍ଧକ ଲାଗୁ କରିସାରିଛି। ଏହା ପିଲାଙ୍କ ସୁରକ୍ଷା ଓ ସୁସ୍ଥ ଭବିଷ୍ୟତ ପାଇଁ ଆବଶ୍ୟକ ପଦକ୍ଷେପ ବୋଲି ସେ ମତ ପ୍ରକାଶ କରିଥିଲେ।

ସେ ଆଶା ବ୍ୟକ୍ତ କରିଥିଲେ ଯେ, ଭାରତ ମଧ୍ୟ ପିଲାଙ୍କ ହିତରେ ଏପରି ପଦକ୍ଷେପ ବିଚାର କରିପାରେ।