ଦୁବାଇ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସାମରିକ ତଣାତଣିର ପ୍ରଭାବ ଏବେ ଆନ୍ତର୍ଜାତୀୟ ବିମାନ ଯାତାୟାତ ଉପରେ ପଡ଼ିଛି। ଇରାନ ଓ ଇସ୍ରାଏଲ ମଧ୍ୟରେ ଆକ୍ରମଣ–ପ୍ରତିଆକ୍ରମଣ ପରିସ୍ଥିତି ଗମ୍ଭୀର ରୂପ ନେଇଥିବାରୁ ଉପସାଗରୀୟ ଅଞ୍ଚଳର ଅନେକ ଦେଶ ଅସ୍ଥାୟୀ ଭାବେ ନିଜ ଆକାଶ ସୀମା ବନ୍ଦ କରିଦେଇଛନ୍ତି। ଏହାର ପରିଣାମସ୍ୱରୂପ ଦୁବାଇ ଓ ଆବୁଧାବି ବିମାନବନ୍ଦରରେ ବିଶ୍ୱର ହଜାର ହଜାର ଯାତ୍ରୀ ଓ ପର୍ଯ୍ୟଟକ ଫସି ରହିଛନ୍ତି।

ସୂଚନା ଅନୁଯାୟୀ, ଇରାନ ପକ୍ଷରୁ ଇସ୍ରାଏଲର ବିଭିନ୍ନ ସାମରିକ କେନ୍ଦ୍ରକୁ ଲକ୍ଷ୍ୟ କରି ଆକ୍ରମଣ ହେବା ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ସତର୍କତା ବଢ଼ାଯାଇଛି। ଇସ୍ରାଏଲର ଅନେକ ସହରରେ ସାଇରନ ବାଜିଥିବା ସହ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିବା ଖବର ମିଳିଛି। ପରିସ୍ଥିତି ଅଶାନ୍ତ ହେବାରୁ ଫେବ୍ରୁଆରି ୨୮ ଠାରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଅନେକ ଉପସାଗରୀୟ ଦେଶ ବିମାନ ଚଳାଚଳ ଉପରେ ନିଷେଧାଜ୍ଞା ଲାଗୁ କରିଛନ୍ତି।

ଏହାର ପ୍ରଭାବରେ ୟୁଏଇର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଓ ଆବୁଧାବି ବିମାନବନ୍ଦରରୁ ଶହଶହ ଉଡ଼ାଣ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବାତିଲ କରାଯାଇଛି। ଫଳରେ ବିଭିନ୍ନ ଦେଶର ପର୍ଯ୍ୟଟକ, ଖେଳାଳି, କଳାକାର ଓ ସେଲିବ୍ରିଟିମାନେ ୟୁଏଇରେ ଅଟକି ପଡ଼ିଛନ୍ତି।

ଦୁବାଇ ଡ୍ୟୁଟି ଫ୍ରି ଟେନିସ୍‌ ଚାମ୍ପିଅନସିପ୍‌ରେ ଯୋଗଦେଇଥିବା ଅନେକ ଖେଳାଳି ମଧ୍ୟ ସହର ଛାଡ଼ିପାରୁନାହାନ୍ତି। ବିଶ୍ୱ ନମ୍ବର–୧ ଟେନିସ୍‌ ତାରକା ଡାନିଲ୍‌ ମେଦଭେଡେଭ ସହ ଅନେକ ଶୀର୍ଷ ଖେଳାଳି ଦୁବାଇରେ ଫସି ରହିଥିବା ଜଣାପଡ଼ିଛି। ଭାରତୀୟ ବ୍ୟାଡମିଣ୍ଟନ୍‌ ତାରକା ଓ ଅଲିମ୍ପିକ୍‌ ପଦକ ବିଜେତା ପି.ଭି. ସିନ୍ଧୁଙ୍କ ବର୍ମିଂହାମ ଯାତ୍ରା ବାତିଲ ହେବା ପରେ ସେ ମଧ୍ୟ ଦୁବାଇ ବିମାନବନ୍ଦରରେ ଅପେକ୍ଷାରତ ଅଛନ୍ତି।

ଏହା ସହ ବ୍ରିଟିଶ ବକ୍ସର ଆମିର ଖାନ, ଫୁଟବଲ୍‌ ତାରକା ରିଓ ଫର୍ଡିନାଣ୍ଡ ଓ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସେଲିବ୍ରିଟିମାନେ ମଧ୍ୟ ୟୁଏଇରେ ଅଟକି ପଡ଼ିଛନ୍ତି। ବ୍ରିଟିଶ ରିଆଲିଟି ଟିଭି ଷ୍ଟାର ଭିକି ପାଟିସନ୍‌ ମଧୁଚନ୍ଦ୍ରିକା ସମୟରେ ଦୁବାଇରେ ଫସି ରହିଥିବା ବେଳେ ଲଭ୍‌ ଆଇଲ୍ୟାଣ୍ଡ ଷ୍ଟାର ଲୌରା ଆଣ୍ଡରସନ୍‌ ପରିସ୍ଥିତିକୁ ଭୟାବହ ବୋଲି ବର୍ଣ୍ଣନା କରିଛନ୍ତି।

ବଲିଉଡ୍‌ ଅଭିନେତ୍ରୀ ସୋନାଲ ଚୌହାନ ମଧ୍ୟ ଦୁବାଇରେ ଫସି ରହିଥିବା କହି ସାହାଯ୍ୟ ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ୟୁଏଇ ସରକାର ଓ ବିଭିନ୍ନ ଦେଶର ଦୂତାବାସ ଫସିଥିବା ଯାତ୍ରୀଙ୍କ ସୁରକ୍ଷିତ ଫେରା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ଏପରି ସମୟରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ବଢ଼ୁଥିବାରୁ ଆଗାମୀ ଦିନରେ ଆନ୍ତର୍ଜାତୀୟ ବିମାନ ସେବା ଉପରେ ଆହୁରି ପ୍ରଭାବ ପଡ଼ିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।