ତେହରାନ, ୧୮/୧୨:
୨୦୨୫ ବର୍ଷଟି ଇରାନ ପାଇଁ ଗଭୀର ସୁରକ୍ଷା ଓ ରଣନୈତିକ ଚ୍ୟାଲେଞ୍ଜ ନେଇଆସିଥିବା ବର୍ଷ ଭାବେ ଚିହ୍ନଟ ହେଉଛି। ଏକ ପଟେ ହମାସ୍, ହେଜବୋଲ୍ଲା ଓ ହୁଟି ପରି ଇରାନ-ସମର୍ଥିତ ପ୍ରକ୍ସି ସଂଗଠନଗୁଡ଼ିକ ଦୁର୍ବଳ ହୋଇପଡ଼ିଥିବାବେଳେ, ଅନ୍ୟ ପଟେ ଦେଶର ପରମାଣୁ କାର୍ଯ୍ୟକ୍ରମ ସହ ଜଡିତ ବୈଜ୍ଞାନିକମାନେ ଲକ୍ଷ୍ୟବନ୍ଦିତ ଆକ୍ରମଣର ସମ୍ମୁଖୀନ ହୋଇଥିଲେ।
ଏକ ଆନ୍ତର୍ଜାତୀୟ ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ଘଟିଥିବା ଏକାଧିକ ଆକ୍ରମଣରେ ଇରାନର ୧୪ ଜଣ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଥିଲା। ଏହି ହତ୍ୟାକାଣ୍ଡଗୁଡ଼ିକୁ ଇସ୍ରାଏଲୀ ଗୁପ୍ତଚର ସଂସ୍ଥା ମୋସାଦ ସହ ସମ୍ପୃକ୍ତ ‘ଅପରେଶନ ନୋର୍ନିଆ’ ସହ ଯୋଡ଼ାଯାଉଛି। ତେବେ ରିପୋର୍ଟରେ କୁହାଯାଇଛି ଯେ, ଇରାନରେ ଏବେ ବି ୮୫ରୁ ଅଧିକ ପରମାଣୁ ବୈଜ୍ଞାନିକ ଜୀବିତ ଅଛନ୍ତି, ଯାହା ଆମେରିକା ଓ ଇସ୍ରାଏଲ ପାଇଁ ଚିନ୍ତାର କାରଣ ହେଉଛି।
ସୂଚନା ଅନୁଯାୟୀ, ଡିସେମ୍ବର ୨୦୨୪ରେ ସିରିଆରେ ବଶର ଅଲ୍-ଆସାଦଙ୍କ କ୍ଷମତାଚ୍ୟୁତି ପରେ ଇରାନ ଭିତରେ ଗୁପ୍ତଚର କାର୍ଯ୍ୟକଳାପ ଅଧିକ ସକ୍ରିୟ ହୋଇଥିଲା। ମୋସାଦ ପ୍ରାୟ ୧୦୦ ଜଣ ଇରାନୀ ପରମାଣୁ ବୈଜ୍ଞାନିକଙ୍କ ଉପରେ ଡୋଜିଅର ପ୍ରସ୍ତୁତ କରି ତାଲିକାଭୁକ୍ତ ଲକ୍ଷ୍ୟ ଚିହ୍ନଟ କରିଥିବା କୁହାଯାଉଛି। ଏହି ଅପରେଶନରେ ସ୍ଥାନୀୟ ଲୋକଙ୍କୁ ବ୍ୟବହାର କରାଯାଇଥିବା ସହ ଘରେ କିମ୍ବା ଯାତାୟାତ ସମୟରେ ଆକ୍ରମଣ ପାଇଁ ଯୋଜନା କରାଯାଇଥିଲା।
ଅପରେଶନ ଆରମ୍ଭ ହେବା ପରେ ଇରାନ ସରକାର କିଛି ପ୍ରମୁଖ ବୈଜ୍ଞାନିକଙ୍କୁ ଭୂଗର୍ଭ ଓ ସୁରକ୍ଷିତ ସ୍ଥାନରେ ରଖିବାକୁ ବାଧ୍ୟ ହୋଇଥିଲେ। ଏହାସହ କିଛି ବୈଜ୍ଞାନିକଙ୍କୁ ସେନା ମୁଖ୍ୟାଳୟ ନିକଟରେ ଥିବା ଗୁପ୍ତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।
ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଅଗଷ୍ଟ ୨୦୨୫ରେ ଇରାନ ପରମାଣୁ ବୈଜ୍ଞାନିକ ରୁଜବେହ ଓ୍ବାଦିଙ୍କୁ ଫାଶୀ ଦେଇଥିଲା। ଇରାନ ସରକାରଙ୍କ ଅଭିଯୋଗ ଥିଲା ଯେ, ସେ ଇସ୍ରାଏଲକୁ ଗୁପ୍ତ ସୂଚନା ପ୍ରଦାନ କରିଥିଲେ, ଯାହା ମାଧ୍ୟମରେ ବୈଜ୍ଞାନିକମାନଙ୍କ ଉପରେ ଡୋଜିଅର ପ୍ରସ୍ତୁତ ହୋଇଥିଲା।
ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA) ଅନୁଯାୟୀ, ଜୁନ୍ ୨୦୨୫ ପୂର୍ବରୁ ଇରାନ ୬୦ ପ୍ରତିଶତ ପର୍ଯ୍ୟନ୍ତ ୟୁରାନିୟମ ସମୃଦ୍ଧ କରିଥିଲା। ଯଦି ଏହି ସମୃଦ୍ଧି ୯୦ ପ୍ରତିଶତକୁ ପହଞ୍ଚେ, ତେବେ ପରମାଣୁ ଅସ୍ତ୍ର ନିର୍ମାଣ ସମ୍ଭବ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି।
ଜୁନ୍ ୨୦୨୫ରେ ହୋଇଥିବା ଆକ୍ରମଣ ପରେ ଇରାନର ପରମାଣୁ କାର୍ଯ୍ୟକ୍ରମ ବର୍ତ୍ତମାନ ସ୍ଥଗିତ ରହିଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ କହିବା ଅନୁଯାୟୀ, ପ୍ରଥମେ ଆକ୍ରମଣ ପ୍ରଭାବିତ ସ୍ଥାନଗୁଡ଼ିକୁ ସଫା କରାଯିବ, ତାହା ପରେ ପରମାଣୁ କାର୍ଯ୍ୟକ୍ରମ ନେଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ।





